ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ରାୟଗଡ଼ା ତହସିଲ ଅନ୍ତର୍ଗତ ୧୦ ଟି ମୌଜରେ ରହିଥିବା ୫୦୬.୬୯ ଏକର ସିଲିଂ ଜମିକୁ ଏବେ ଜିଲ୍ଲା ପ୍ରଶାସନ ନିଜ କବଜାକୁ ନେବାପରେ ଜିଲ୍ଲାରେ ଖୁସିର ମାହୋଲ ଦେଖାଦେଇଛି । ଏନେଇ ନାଗରିକ ମଞ୍ଚ ତରଫରୁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଭୁଇୟସୀ ପ୍ରଶଂସା କରାଯିବା ସହ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଆଦିବାସୀ ହରିଜନ , ପଛୁଆ ବର୍ଗ ଏବଂ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ସମ୍ମାନନୀୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ , ଜିଲ୍ଲାପାଳ ସ୍ଵଧା ଦେବ ସିଂ ଏବଂ ଏସପି ବିବେକାନନ୍ଦ ଶର୍ମା , ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ। ଅନୁଶୟା ମାଝି , ଜିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝି , ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ , ଉପଜିଲ୍ଲାପାଳ ଭୀମସେନ ସବାର ଏବଂ ତହସିଲଦାର ତାପସ ରାଉତ ଅଥିତି ଭାବେ ଯୋଗ ଦେଇଥିଲେ । ପ୍ରଥମେ ଅତିଥିମାନେ ପ୍ରଭୁ ଜଗନ୍ନାଥଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜୋଳନ କରିଥିଲେ । ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଞ୍ଚାସିନ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦୀର୍ଘ ୪୮ ବର୍ଷ ହେବ ବେଆଇନ ଭାବେ ଜଯପୁର ସୁଗାର କମ୍ପାନୀ ୭୮୭ ଏକର ଜମି ନିଜ ଅକ୍ତିଆରରେ ରଖି ଥିବା ବେଳେ ଏନେଇ ନାଗରିକ ମଞ୍ଚ ଆଇନଗତ ସଂଗ୍ରାମ ସାଙ୍ଗକୁ ତୃଣାମୂଳରେ ମଧ୍ୟ ସଂଗ୍ରାମ ଜାରି ରଖିଥିଲା । ଯାହାର ଫଳ ସ୍ୱରୂପ ୫୦୬.୬୯ ଏକର ଜମି ଫେରି ପାଇଥିବା ସଭାରେ ମତ ପ୍ରକାଶ ପାଇଥିଲା । ୫୦୬.୬୯ ଏକର ଜେଏସକୋ ଜମି ଜିଲ୍ଲାପ୍ରଶାସନକୁ ମିଳିବା ଫଳରେ ଜିଲ୍ଲା ବାସୀଙ୍କ ଉନ୍ନତିର ପଥ ଫିଟିଲା ବୋଲି ମନ୍ତ୍ରୀ ପ୍ରମିଳା ମଲ୍ଲିକ ମତବ୍ୟକ୍ତ କରିଛନ୍ତି । ମଞ୍ଚ ପକ୍ଷରୁ ସେହି ଜମିର ସୁବିନିଯୋଗ ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି । ମୁଖ୍ୟତଃ ଏହାକୁ ମେଡିକାଲ କଲେଜ, ଏୟାରପୋର୍ଟ, ବୃହତ ଷ୍ଟାଡିୟମ, ନୂତନ କଲେଜ, ନୂତନ ହାଇସ୍କୁଲ, ନୂତ ବସଷ୍ଟାଣ୍ଡ ଭଳି ପ୍ରକଳ୍ପ ନିର୍ମାଣ କରିବାକୁ ନିବେଦନ କରି ଏକ ଲିଖିତ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଏଥିପୂର୍ବରୁ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିର ପାଇଁ ରେଳବାଇ ବୋର୍ଡ ୬.୩୦ ଏକର ଜମି ଅଂଚଳ ବଦଳ କରିଥିବା ବେଳେ ବର୍ତମାନ ୫୦୬ ଏକର ଜମି ସରକାରୀ ଖାତାକୁ ଫେରିବା କିଛି କମ୍ କଥା ନୁହଁ ବୋଲି ମତ ପ୍ରକାଶ ପାଇଛି । ବନ୍ଦ ପଡ଼ିଥିବା ଜେଏସକୋ କାରଖାନା ଅଧିନରେ ରହିଥିବା ୫୦୬.୬୯ ଏକର ଜମି ଗତ କାଲି ନିଜ ଅଧିନକୁ ଆଣିଛି ପ୍ରଶାସନ। ଏଥିସହ ରାଜସ୍ୱ ବିଭାଗର ଲେଣ୍ଡ ରେକର୍ଡ ମଧ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ସମସ୍ତ ଜମି ରାୟଗଡ଼ା ତହସିଲ ରେକର୍ଡରେ ସ୍ଥାନ ପାଇଛି । ଦୀର୍ଘ ୪୮ ବର୍ଷ ହେବ ଏହି ଜମି ପାଇଁ ଦ୍ଵନ୍ଦ ଲାଗିରହିଥିଲା । ୧୯୭୪ ମସିହାରେ ଚିନି କାରଖାନା ନିର୍ମାଣ ପାଇଁ ୭୮୭ ଏକର ଜମି ଅଧିଗ୍ରହଣ କରାଯାଇଥିଲା।
ସେଥିରୁ ଅଳ୍ପ କିଛି ଜମି ବ୍ୟବହାର କରି ଜେଏସକୋ କାରଖାନା ପ୍ରତିଷ୍ଠା କରିଥିଲା। ବଳକା ଜମିରେ କୌଣସି କାରଖାନା ନିର୍ମାଣ ନକରି ବ୍ୟବସାୟୀକ ଚାଷ କରାଯାଉଥିଲା । ଏହାକୁ ନେଇ ଉଭୟ ଜେଏସକୋ ଏବଂ ଜିଲ୍ଲା ପ୍ରଶାସନ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ମାନ୍ୟବର ହାଇକୋର୍ଟ ଓ ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ୫୦୬.୬୯ ଏକର ଜମି ବର୍ତ୍ତମାନ ତହସିଲ ରେକର୍ଡ ଅନ୍ତର୍ଭୁକ୍ତ ହୋଇଛି। ଓଡ଼ିଶାର ସର୍ବପୁରାତନ ଚିନି କଳରେ ୨୫ ବର୍ଷ ଧରି ତାଲା ଝୁଲୁଥିବା ବେଳେ ବେଆଇନ ଭାବେ ସହରର କେନ୍ଦ୍ର ସ୍ଥଳରେ ଥିବା ମୁଲ୍ୟବାନ ଜମି ମାଡିବସିଥିଲା । ଏନେଇ ବାରମ୍ବାର ସ୍ଥାନିୟ କୋର୍ଟ ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ତାଗିଦ୍ ସତ୍ତ୍ୱେ ପ୍ରଶାସନକୁ ନିୟମ ମୁତାବକ ୫୦୬.୬୯ ଏକର ଜମି ଫେରେଇବା ବଦଳରେ ବରଂ ବ୍ୟେଙ୍କରେ ବନ୍ଧା ପକାଇ ଲୁଟି ନେଇଛି ଶହଶହ କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ୧୯୩୬ ମସିହାରେ ଓଡ଼ିଶାର ସର୍ବପୁରାତନ ଜୟପୁର ସୁଗାର କମ୍ପାନି ରାୟଗଡ଼ା ଠାରେ ପ୍ରତିଷ୍ଟିତ ହୋଇଥିଲା । ଧିରେ ଧିରେ ବ୍ୟବସାୟ ବୃଦ୍ଧି ସହିତ ଜୟପୁର ସୁଗାର ଡ଼ିଷ୍ଟଲାରି ଏବଂ ଫେରୋ ମାଙ୍ଗାନିଜ ପ୍ଲାଷ୍ଟ ପ୍ରତିଷ୍ଟା ସାଙ୍ଗକୁ ସଂପ୍ରସାରଣ ହୋଇଥିଲା । କିନ୍ତୁ ସମୟ କ୍ରମେ ୧୯୯୩ ରେ ବ୍ୟବସାୟୀକ କ୍ଷତି ଦର୍ଶାଇ ତିନୋଟି ଯାକ କାରଖାନାରେ ତାଲା ପକାଇବା ସହ ସମସ୍ତ କର୍ମଚାରିଙ୍କୁ ଆବଶ୍ୟକିୟ କ୍ଷତିପୁରଣ ଦେଇ ଛଟେଇ କରାଯାଇଥିଲା । କିନ୍ତୁ କାରଖାନା କର୍ତ୍ତୃପକ୍ଷ ଜମି ଫେରାଇ ନଥିଲେ ।କେବଳ ସେତିକି ନୁହେଁ ୧୯୯୩ ରେ କାରଖାନା ସମ୍ପୁର୍ଣ୍ଣ ବନ୍ଦ ହେବା ସହ ଅଧା ଯନ୍ତ୍ରାଶଂ ଯରାଜିର୍ଣ୍ଣ ହେବା ବେଳେ ବାକି ଯନ୍ତ୍ରକୁ ମଧ୍ୟ କାରଖାନା କତୃପକ୍ଷ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଆସୁଥିଲା । ସେପଟେ କିନ୍ତୁ ଆଇନ ଆଖିରେ ଧୁଳିମାରିବା ଭଳି ୨୦୧୫ ପର୍ଯ୍ୟନ୍ତ କାରଖାନାରୁ ବାଷ୍ପ ବାହାରୁଥିବା ପ୍ରମାଣପତ୍ର ଫେକ୍ଟ୍ରୀ ଏବଂ ବୟେଲର ବିଭାଗ ଠାରୁ ନେଇ ଲାଇସେନସ ନବିକରଣ କରିବାରେ ସକ୍ଷମ ହୋଇଥିଲା କମ୍ପାନି । ସ୍ଥାନୀୟ ତହସିଲଦାରଙ୍କ ରାୟକୁ କାୟମ ରଖି ୫୦୬.୬୯ ଏକର ଜମିକୁ ତୁରନ୍ତ ସରକାରି ଖାତାକୁ ଆଣିବାକୁ ମାନ୍ୟବର ଓଡିଶା ଉଚ ନ୍ୟାୟାଳୟ ନିର୍ଦ୍ଧେଶ ଦେବାପରେ ପ୍ରଶାସନ ବିଧିବଦ୍ଧ ଭାବେ ଜିଲ୍ଲା ପ୍ରଶାସନ ସମ୍ପୃକ୍ତ ଜମିକୁ ଜମିକୁ ଆଜି ନିଜ ଦଖଲକୁ ନେଇଛି ।