ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) -ସହୋଦୟ ସ୍କୁଲ କମ୍ପ୍ଲେକ୍ସ ଆନୁକୂଲ୍ୟରେ ସୈନିକ ସ୍କୁଲ ଭୁବନେଶ୍ୱରର ପରିସରରେ ବିଜ୍ଞାନମେଳା ଅନୁଷ୍ଠିତ ହୋଇଅଛି । ଏହି ପ୍ରଦର୍ଶନୀଟି ବିଦ୍ୟାଳୟର କନିଷ୍ଠତମ କ୍ୟାଡ଼େଟ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ଏଥିରେ ସମୁଦାୟ ୩୮ଟି ବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ । ତନ୍ମଧ୍ୟରୁ କନିଷ୍ଠ ବିଭାଗ (ଷଷ୍ଠରୁ ଅଷ୍ଟମ) ଏବଂ ବରିଷ୍ଠ ବିଭାଗ (ନବମରୁ ଦ୍ୱାଦଶ) ଶ୍ରେଣୀର ପ୍ରାୟ ୧୬୦ ଜଣ ଛାତ୍ରଛାତ୍ରୀ ସେମାନଙ୍କ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଅଂଶଗ୍ରହଣ କରିଥିଲେ ।ବରିଷ୍ଠ ବିଭାଗର ପ୍ରତିଯୋଗୀମାନେ ପରିବେଶ ପ୍ରଦୂଷଣର କାରଣ ଓ ନିରାକରଣ, ଜୈବବିବିଧତାର ସଂରକ୍ଷଣ ଜଳବାୟୁ ପରିବର୍ତନର ପ୍ରଭାବ, ମାନବ ସମାଜ ପାଇଁ ଜୀବବିଜ୍ଞାନର ଅବଦାନ ଏବଂ ବିଭିନ୍ନ ବୈଜ୍ଞାନିକ ଉଦ୍ଭାବନ ଆଦି ବିଷୟରେ ଉପସ୍ଥାପନା କରିଥିବା ସ୍ଥଳେ କନିଷ୍ଠ ବିଭାଗରେ ଗମନାଗମନ ଏବଂ ଯୋଗାଯୋଗରେ ଟେକ୍ନୋଲୋଜିର ଅବଦାନ । ମାନବଜୀବନରେ ଟେକ୍ନୋଲୋଜିର ଉପକାର ଏବଂ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ବିଜ୍ଞାନର ବରଦାନ ବିଷୟରେ ଉପସ୍ଥାପନା କରିଥିଲେ ।ବିଚାରକ ଭାବରେ ଆଇ.ଏମ୍.ଏମ୍.ଟି ଆଂଚଳିକ ବିଜ୍ଞାନ କେନ୍ଦ୍ର, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ, ଆର୍.ଆଇ.ଇ, କେନ୍ଦ୍ରୀୟ ବିଦ୍ୟାଳୟ ୪ ନମ୍ବର ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ତଥା ବୈଜ୍ଞାନିକମାନେ ପ୍ରତିଯୋଗୀମାନଙ୍କର ମୂଲ୍ୟାୟନ କରିବା ସହ ସେମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।ଏହି ପ୍ରଦର୍ଶନୀକୁ ସଫଳ କରିବାରେ ଉପାଧ୍ୟକ୍ଷ କମାଣ୍ଡର ଉଷା ସାଙ୍ଗୱାନ, ପ୍ରଶାସନିକ ଅଧିକାରୀ ଲେପ୍ଟନାଂଟ କର୍ଣ୍ଣଲ ଅମିତ ତିୱାରୀ ଏବଂ ବରିଷ୍ଠ ଅଧ୍ୟାପକ ଶ୍ରୀ ବିଘ୍ନେଶ୍ୱର ପ୍ରଧାନ ସହଯୋଗ କରିଥିଲେ । ପରିଶେଷରେ ଅଧ୍ୟକ୍ଷ କର୍ଣ୍ଣଲ ବାଲୁ ଭରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କ୍ୟାଡ଼େଟ୍ମାନଙ୍କୁ କାର୍ଯ୍ୟକ୍ରମର ସଫଳତା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
ଭୁବନେଶ୍ୱର ସୈନିକ ସ୍କୁଲ ଠାରେ ବିଜ୍ଞାନ ମେଳା ଅନୁଷ୍ଠିତ ।

