Site icon Ethara Sambhala

ଆମ ମୁଖ୍ୟମନ୍ତ୍ରୀ ନମ୍ବର ୱାନ , ହେଲେ ଆମ ରାସ୍ତା …!

ଏଥର ସମ୍ଭାଳ ବ୍ୟୁରୋ (ବିନିକା) – କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ଡେଙ୍ଗୁରା ପିଟିବାରେ ବ୍ୟସ୍ତ । ହେଲେ ଲୋକଙ୍କ ଦୁଃଖ ବୁଝିବାକୁ କାହାର ତର ନାହିଁ।  ଆମେ ନମ୍ବର ୱାନ, ଆମ ମୁଖ୍ୟମନ୍ତ୍ରୀ ନମ୍ବର ୱାନ ତଥା ଆମ ଯୋଜନା ବି ବିଶ୍ୱସ୍ତରୀୟ ବୋଲି ଡେଙ୍ଗୁରା ପିଟୁଛନ୍ତି ରାଜ୍ୟ ସରକାର। ସେହିଭଳି ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନ ।  ହେଲେ ଆମ ଗାଁ ରାସ୍ତା ଦେଖିଲେ ଯେ କେହି ନିଶ୍ଚୟ ପଚାରିବ ଯେ, ଏହା କେଉଁ ବିଶ୍ୱସ୍ତରୀୟ ଯୋଜନାରେ ଅନ୍ତର୍ଭୁକ୍ତ । ଆଉ ଆମ ମୁଖ୍ୟମନ୍ତ୍ରୀ ନମ୍ବର ୱାନ୍‌ କି ଜିରୋ, ତାହା ବି ଜଣାପଡ଼ିବ। ଏହି କାଦୁଅ ପଚ ପଚ ରାସ୍ତାରେ ଠିକ୍‌ ଭାବେ ଚାଲିବା କଷ୍ଟକର ହେଉଥିବା ବେଳେ ଆମ ପିଲା କିପରି ତ୍ରିରଙ୍ଗା ଉଡ଼ାଇ ଯିବେ।’ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏପରି ପ୍ରଶ୍ନ ପଚାରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମେଘଲା ପଞ୍ଚାୟତର ସିଲଯୁରୀ ଗ୍ରାମବାସୀ। ବିନିକା ବ୍ଲକର ସିଞ୍ଜୁରୀ ଓ କୁଇବାହାଲକୁ ସଂଯୋଗ କରୁଥିବା ରାସ୍ତାରେ ବର୍ଷା ଦିନେ ଯିବା କଷ୍ଟକର ହୋଇପଡ଼ୁଛି। ୨ କିମି ପରିବ୍ୟାପ୍ତ ଏହି ରାସ୍ତା ବର୍ଷା ଦିନେ କାଦୁଅ ପଚ ପଚ ହୋଇଯାଉଥିବାରୁ ପିଲାଠୁ ବୁଢ଼ା ସମସ୍ତେ ଯା’ଆସ କଲା ବେଳେ ନାକେଦମ ହେଉଛନ୍ତି। କାଦୁଅ ଯୋଗୁ ଏହି ରାସ୍ତାରେ ପିଲାମାନେ ସ୍କୁଲ୍ ଯାଇପାରନ୍ତି ନାହିଁ। ସେଥିପାଇଁ ୫ କିମି ବାଟ ବୁଲି ବୁଲି ସେମାନେ ସ୍କୁଲ୍ ଯାଆନ୍ତି। ଏହାବାଦ ରୋଗୀଙ୍କୁ ମଧ୍ୟ ଡାକ୍ତରଖାନା ନେବାକୁ ନାକେଦମ ହେବାକୁ ପଡ଼େ। ସରକାର ତୁରନ୍ତ ଏହି ରାସ୍ତା କାମ ନ କଲେ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି ଗ୍ରାମବାସୀ। ବିନିକା ବିଡିଓ କହିଛନ୍ତି, ସେ ରାସ୍ତାରେ ଯେପରି ଲୋକେ ସୁରୁଖୁରୁରେ ଯାତାୟତ କରିପାରିବେ ସେଥିପାଇଁ ଆମେ ତୁରନ୍ତ ବ୍ୟବସ୍ଥା କରିବୁ। ପୂର୍ବରୁ ପ୍ରଶାସନିକ ଓ ରାଜନୀତିକ ବ୍ୟକ୍ତି ବିଶେଷଙ୍କ ଠାରୁ ଏମିତି ଅନେକ ପ୍ରତିଶ୍ରୁତି ମିଳିଥିବା ବେଳେ ଏହି ରାସ୍ତାର ଭାଗ୍ୟ କେବେ ସୁଧୁରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Exit mobile version