Site icon Ethara Sambhala

ବେଆଇନ ଜମି କାରବାର ; ୪୦ ଜଣିଆ ଅଭିଯୁକ୍ତ ତାଲିକାରେ ବିଜେପି ବିଧାୟକ ଓ ମେୟରଙ୍କ ନାଁ …!

ଏଥର ସମ୍ଭାଳ ବ୍ୟୁରୋ(ଅଯୋଧ୍ୟା)- ମନ୍ଦିର ସହର ଅଯୋଧ୍ୟାରେ ଚାଲିଛି ବେଧଡ଼କ ବେଆଇନ ଜମି କାରବାର ମାମଲା। ବେଆଇନ ଜମି କାରବାର ମାମଲାରେ ଅଯୋଧ୍ୟା ଡେଭଲପମେଣ୍ଟ ଅଥୋରିଟି(ଏଡିଏ) ପ୍ରଥମ ପର୍ଯ୍ୟାୟରେ ୪୦ ଜଣିଆ ଅଭିଯୁକ୍ତଙ୍କ ତାଲିକା ଜାରି କରିଛି। ଏମାନେ ବେଆଇନ ଭାବେ ଜମିକୁ ଫ୍ଲଟିଂ କରି କାରବାର କରୁଥିବା ଏଡିଏ କହିଛି। ଏହି ୪୦ ଜଣିଆ ତାଲିକାରେ ବିଜେପି ବିଧାୟକ ବେଦ ପ୍ରକାଶ ଗୁପ୍ତା, ସହରର ମେୟର ଋଷିକେଶ ଉପାଧ୍ୟାୟ ଓ ମିକିପୁରର ପୂର୍ବତନ ବିଜେପି ବିଧାୟକ ଗୋରଖନାଥ ବାବାଙ୍କ ନାଁ ରହିଛି। ଏଡିଏ ପକ୍ଷରୁ ରବିବାର ଏହି ତାଲିକା ଜାରି କରାଯାଇଥିବା ଏହାର ଉପ ସଭାପତି ବିଶାଲ ସିଂହ କହିଛନ୍ତି। ତେବେ ଶ୍ରୀ ଗୁପ୍ତା ଓ ଶ୍ରୀ ଉପାଧ୍ୟାୟ ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେହିପରି ଉଭୟ ଏଡିଏର ଅଧିକାରୀମାନଙ୍କ ବିରୋଧରେ ମାନହାନୀ କେସ୍ କରିବେ ବୋଲି ଧମକ ଦେଇଛନ୍ତି।ଏଡିଏର ଉପସଭାପତି ବିଶାଲ ସିଂହ କହିଛନ୍ତି, “ବର୍ତ୍ତମାନ ସୁଦ୍ଧା ବେଆଇନ ଭାବେ ଜମି ପ୍ଲଟିଂ କରି କଲୋନୀ ତିଆରି କରାଯାଇଥିବା ୪୦ଟି ଠିକଣା ଆମ ପାଖକୁ ଆସିଛି। ତେବେ ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ। ଆମେ ଅଯୋଧ୍ୟାକୁ ଗୋଟିଏ ସୁରକ୍ଷିତ ଓ ଦୁର୍ନୀତି ମୁକ୍ତ ସହରର ଭାବେ ଗଢ଼ି ତୋଳିବାକୁ ଚେଷ୍ଟା କରୁଛୁ। ଫଳରେ ଅଯୋଧ୍ୟା ଗୋଟିଏ ବିଶ୍ୱସ୍ତରୀୟ ସହରରେ ପରିଣତ ହୋଇପାରିବ। ଏଥିପାଇଁ ବେଆଇନ ଜମି କାରବାରକୁ ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସୁପ୍ରିମକୋର୍ଟ ୨୦୧୯ ନଭେମ୍ବର ମାସରେ ଅନୁମତି ଦେବା ପରେ ଏଠାରେ ଜମି ଗୁଡ଼ିକର ଦାମ ଅତ୍ୟନ୍ତ ବଢ଼ି ଯାଇଛି। ଅନେକ ଲୋକ ଅଯୋଧ୍ୟାରେ ଜମି ଓ ଘର କିଣିବାକୁ ଆଗ୍ରହ ଦେଖାଉଛନ୍ତି। ଗତବର୍ଷ ବେଆଇନ ଭାବେ ଜମି କାରବାର ସମ୍ପର୍କରେ ଅଭିଯୋଗ ଆସିଥିଲା। ଏହି ଡିଲ୍‌ରେ ମନ୍ଦିର ନିର୍ମାଣ ଟ୍ରଷ୍ଟର ଭୂମିକା ଥିବା ମଧ୍ୟ ବିରୋଧୀ ଅଭିଯୋଗ କରିଥିଲେ। ତେବେ ଏହାକୁ ଟ୍ରଷ୍ଟ ପକ୍ଷରୁ ଖଣ୍ଡନ କରାଯାଇଥିଲା। ହେଲେ ଏବେ ଏଡିଏ ବେଆଇନ ଜମି କାରବାରର ତାଲିକା ସାମ୍ନାକୁ ଆଣିଛି। ଅଯୋଧ୍ୟରେ ଜମି ମାଫିଆଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାର ତଦନ୍ତ ଏସଆଇଟି ଦ୍ୱାରା କରିବାକୁ ଗତମାସରେ ବିଜେପିର ଫରିଦାବାଦ ସାଂସଦ ଲାଲୁ ସିଂହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଚିଠି ଲେଖିଥିଲେ।

Exit mobile version