Site icon Ethara Sambhala

ଜୟନାରାୟଣ ମିଶ୍ର ନୂଆ ବିରୋଧୀ ଦଳ ନେତା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ବିରୋଧୀ ଦଳ ନେତା ହେଲେ ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ର। ଆଜି ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ଦଳର ବିଧାୟକ ଦଳ ନେତା ଭାବେ ଘୋଷଣା କରାଯାଇଛି। ବିଜେପିର ଓଡ଼ିଶା ଦାୟିତ୍ୱରେ ଥିବା ସହ ପ୍ରଭାରୀ ତାଙ୍କ ନାଁ ଘୋଷଣା କରିଛନ୍ତି। ବିରୋଧୀ ଦଳ ନେତା ଚୟନ ନେଇ ଆଜି ବିଧାୟକ ଓ ରାଜ୍ୟର ବରିଷ୍ଠ ନେତାଙ୍କ ବୈଠକ ବସିଥିଲା। ବୈଠକରେ ସର୍ବ ସମ୍ମତି କ୍ରମେ ଜୟନାରାୟଣ ମିଶ୍ରଙ୍କ ନାଁକୁ ଚୟନ କରାଯାଇଥିଲା। ଜୟନାରାୟଣ ମିଶ୍ର ହେଉଛନ୍ତି ରାଜ୍ୟ ବିଜେପିର ବରିଷ୍ଠ ନେତା। ସେ ଲଗାତାର ୩ ଥର ବିଧାୟକ ହୋଇଥିଲେ। ହେଲେ ୨୦୧୪ ସାଧାରଣ ନିର୍ବାଚନରେ ହାରି ଯାଇଥିଲା। ୨୦୧୯ ସାଧାରଣ ନିର୍ବାଚନରେ ସେ ପୁଣି ଥରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ ବିଜେପିକୁ ବରୋଧୀ ଦଳର ମାନ୍ୟତା ମିଳିବା ପରେ ବିରୋଧୀ ଦଳ ନେତା ଭାବେ ପ୍ରଦୀପ୍ତ କୁମାର ନାଏକ ଓ ଜୟନାରାୟଣଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲା। ମାତ୍ର ପ୍ରଦୀପ୍ତ ନାୟକଙ୍କୁ ବିରୋଧୀ ଦଳ ନେତା ଭାବେ ଚୟନ କରାଯାଇଥିଲା। ପ୍ରଦୀପ୍ତ କୁମାର ନାଏକ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି ହୋଇଥିଲେ। ପରବର୍ତ୍ତୀ ସମୟରେ କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇଥିଲେ। ତେଣୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ନୂଆଦିଲ୍ଲୀ ନିଆଯାଇଥିଲା। ଏବେ ମଧ୍ୟ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।  ଯେଉଁଥିପାଇଁ ସେ ଦୁଇ ବର୍ଷ ଧରି ବିଧାନସଭାକୁ ଆସିପାରୁ ନାହାନ୍ତି। ଏଥିଯୋଗୁ ଆଜି ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳ ନେତା ଭାବେ ବିଜେପି ଘୋଷଣା କରିଛି। ବିରୋଧୀ ଦଳ ନେତା ଘୋଷଣା ହେବା ପରେ ଜୟନାରାୟଣ ମିଶ୍ର କହିଲେ, ପାରୁପର୍ଯ୍ୟନ୍ତ ଗୁରୁଦାୟିତ୍ୱ ତୁଲାଇବାକୁ ଚେଷ୍ଟା କରିବି। ଗଠନମୂଳକ ବିରୋଧୀ ଦଳ ଭାବେ କାମ କରିବୁ। ମୋହନ ମାଝୀ ପବ୍ଲିକ ଆକାଉଣ୍ଟସ କମିଟି କଥା ବୁଝିବେ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି। ସେ ଆହୁରି କହିଛନ୍ତି, ଆମେ କେନ୍ଦ୍ରୀୟ ଯୋଜନା କଂଗ୍ରେସମୁକ୍ତ ଭାରତ, ବିଜେଡିମୁକ୍ତ ଓଡ଼ିଶା। ଆମଆ ଏହି ୨ଟି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଆଗକୁ ବଢ଼ିବୁ।୨୦୨୪ରେ ଆମେ କେମିତି ସଂଖ୍ୟାଗରିଷ୍ଠ ହେବୁ, ଯୋଜନା କରିବୁ। ବୁଥ୍‌ ସ୍ତରରୁ ଆମେ ସଂଗଠନ ସୁଦୃଢ଼ କରିବୁ। ବିଜେଡି ସହ କୌଣସି ପ୍ରକାର ବୁଝାମଣା ହେବାର ନାହିଁ। ଉଭୟ ବିଧାନସଭା ଓ ରାଜରାସ୍ତାରେ ଆନ୍ଦୋଳନ ପାଇଁ ସମନ୍ୱୟ ରଖିବୁ ବୋଲି ଶ୍ରୀ ମିଶ୍ର କହିଛନ୍ତି।

Exit mobile version