Site icon Ethara Sambhala

ମହାନଦୀର ସୁରକ୍ଷା ପାଇଁ ସତ୍ୟାଗ୍ରହ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ମୃତପ୍ରାୟ ମହାନଦୀର ଜୀବନ ବଞ୍ଚାଇବା ପାଇଁ ଆରମ୍ଭ ହୋଇଛି ସତ୍ୟାଗ୍ରହ। ପାରାଦୀପ ଚୌମୁହାଣୀ ଓ ଛତିଶଗଡ଼ର କଲମାରେ ଏକାସାଙ୍ଗରେ କରାଯାଇଛି ଆନ୍ଦୋଳନ। ଓଡ଼ିଶା ନଦୀ ସୁରକ୍ଷା ସମିତି ପକ୍ଷରୁ ମହାନଦୀ ବଞ୍ଚାଅ ଆନ୍ଦୋଳନ କରାଯାଉଛି। ମହାନଦୀ ହେଉଛି ଓଡ଼ିଶାର ଜୀବନଧାରା। ମହାନଦୀ ବଞ୍ଚିଲେ ଆମେ ବଞ୍ଚିବା। ନ ହେଲେ ଆଗକୁ ଯେଉଁ ଜଳକଷ୍ଟ ହେବ, ତାହା ଅସମ୍ଭାଳ ହୋଇଯିବ। ତେଣୁ ଏବେଠୁ ସାବଧାନ ହେବାକୁ ପଡ଼ିବ। କଲମାରେ ଛତିଶଗଡ଼ ପଟେ ମହାନଦୀ ପୂରି ଥିବା ବେଳେ ତା’ ତଳକୁ ଓଡ଼ିଶା ପଟେ ମହାନଦୀ ପୂରା ଶୁଖିଲା ପଡ଼ିଛି। ଯଦି ଏପରି ଜାରି ରହେ, ଆମର ଜୀବନ ସତ୍ତା ମଧ୍ୟ ବିପଦରେ ପଡ଼ିବ। ତେଣୁ ଏବେଠୁ ସଚେତନ ହୋଇ ମହାନଦୀକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରିବାକୁ ପଡ଼ିବ ବୋଲି ସଂଗଠନର ସଦସ୍ୟ ଶ୍ରୀବଲ୍ଲଭ କର କହିଛନ୍ତି। ସେ କହିଛନ୍ତି, “ଆଜି ଆମେ ଚୌମୁହାଣୀ ଠାରେ ଆନ୍ଦୋଳନ କରୁଛୁ। ଏହି ସ୍ଥାନଟିକୁ ମହାନଦୀ ଓ ବଙ୍ଗୋପସାଗରର ସଙ୍ଗମସ୍ଥଳ ବୋଲି କୁହାଯାଏ। ମହାନଦୀର ଜୀବନ ବଞ୍ଚାଇବାକୁ ଏପରି ସତ୍ୟାଗ୍ରହ କରାଯାଉଛି। ଛତିଶଗଡ଼ର କଲମା ପାଖରେ ମହାନଦୀ ମୃତ ପ୍ରାୟ ହୋଇ ଗଲାଣି। ଏଥିପାଇଁ ଆମେ ଆଜି ଚୌମୁହାଣୀ ଠାରେ ସତ୍ୟାଗ୍ରହ କରୁଛୁ। ଜଳ ବଞ୍ଚିଲେ ଜୀବନ ବଞ୍ଚିବ। ନଦୀ ଥିଲେ ଜୀବ, ଜନ୍ତୁ ଓ ମଣିଷ ଆଗକୁ ଯାଇ ପାରିବେ। ଆମେ ଓଡ଼ିଶାର ଲୋକମାନଙ୍କୁ କହିବାକୁ ଚାହୁଁଛୁ ଯେ ମୃତପ୍ରାୟ ମହାନଦୀ ଯଦି ବଞ୍ଚିବ ନାହିଁ, ତା’ହେଲେ ଆଗକୁ ଜଳକଷ୍ଟ ଅସମ୍ଭାଳ ହେବ। ଜୀବର ସତ୍ତା ରହିବ ନାହିଁ। ତେଣୁ ଆମେ ସମସ୍ତେ ସଚେତନ ହେବା ଓ ମହାନଦୀ ବଞ୍ଚାଇବାକୁ କାମ କରିବା।” ଆଜିର ସତ୍ୟାଗ୍ରହରେ ସଂଗଠନର ସଦସ୍ୟଙ୍କ ବ୍ୟତୀତ ସ୍ଥାନୀୟ ଲୋକମାନେ ମଧ୍ୟ ଯୋଗ ଦେଇଥିଲେ। ସେମାନେ ସତ୍ୟାଗ୍ରହ କରିବା ସମୟରେ ମହାନଦୀର ସୁରକ୍ଷା ପାଇଁ ବିଭିନ୍ନ ପ୍ରକାରର ନାରା ମଧ୍ୟ ଦେଇଥିଲେ।

Exit mobile version