Site icon Ethara Sambhala

ବିଜେଡି ପାଇଁ ପ୍ରଚାର କରୁଛନ୍ତି ସାଉଥ୍‌ ଷ୍ଟାର ସୁମନ୍‌…!

ଏଥର ସମ୍ଭାଳ ବ୍ୟୁରୋ(ପାରଳାଖେମୁଣ୍ଡି)- ପଞ୍ଚାୟତ ନିର୍ବାଚନରେ ସାଉଥ୍‌ ଷ୍ଟାର୍‌ଙ୍କ କ୍ରେଜ୍‌। ଖୋଲା କାର୍‌ରେ ବୁଲୁଛନ୍ତି ଓ ବିଜେଡି ପାଇଁ ଭୋଟ୍‌ ମାଗୁଛନ୍ତି। ଓଡ଼ିଶାରେ ବସବାସ କରୁଥିବା ତେଲୁଗୁ ଲୋକଙ୍କୁ ବିଜେଡିକୁ ଭୋଟ ଦେବା ପାଇଁ ଅନୁରୋଧ କରୁଛନ୍ତି। ଆଜି ଏପରି ଚିତ୍ର ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି। ଆସନ୍ତା ୨୪ ତାରିଖରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍‌ର ୨୧ଟି ପଞ୍ଚାୟତ ଓ ଏହା ଅଧୀନରେ ଥିବା ଦୁଇଟି ଜିଲ୍ଲା ପରିଷଦ ଜୋନ ପାଇଁ ମତଦାନ ହେବ। ସେଥିପାଇଁ ଜମ୍ପୁଛି ପ୍ରଚାର। ତେବେ ଏହି ପ୍ରଚାରରେ ବିଜେଡି ସବୁଠୁ ଆଗରେ ରହିଛି। ଚଳିତବର୍ଷ ପ୍ରଥମ ଥର ପାଇଁ ପ୍ରଚାରରେ ସାମିଲ୍‌ ହୋଇଛନ୍ତି ତେଲୁଗୁ ଷ୍ଟାର ସୁମନ୍‌ ତଲୱାର। ସେ ତେଲୁଗୁ ଭାଷାଭାଷି ଅଞ୍ଚଳରେ ବୁଲି ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡି ପାଇଁ ପ୍ରଚାର କରିବାକୁ ଆସିଥିବା ସୁମନ୍‌ କହିଛନ୍ତି। ଏହି ପ୍ରଚାରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବିଜେଡି ନେତା ଡା.ତିରୁପତି ପାଣିଗ୍ରାହୀ ସାମିଲ ହୋଇଛନ୍ତି। ସୁମନ ତଲୱାରଙ୍କ ପଛେ ପଛେ ଭୋଟ୍‌ ମାଗୁଥିବା ଦେଖିବାକୁ ମିଳିଛି। ଗୋଷାଣୀ ବ୍ଲକରେ ସଂଖ୍ୟଧୀକ ତେଲୁଗୁ ଭୋଟର ରହିଥିବାରୁ ସୁମନଙ୍କ ପ୍ରଚାର ଦଳ ପାଇଁ ସହାୟକ ହେବ ବୋଲି ବିଜେଡି ନେତାମାନେ ଆଶା ପ୍ରକାଶ କରିଛନ୍ତି। ତେଲୁଗୁ ତାରକା ସୁମନ୍‌ ତଲୱାର କହିଛନ୍ତି, “ଡା.ତିରୁପତି ପାଣିଗ୍ରାହୀ ହେଉଛନ୍ତି ମୋର ପ୍ରିୟ ବନ୍ଧୁ। ତାଙ୍କ ଅନୁରୋଧ ରକ୍ଷା କରି ପ୍ରଚାର କରିବାକୁ ଆସିଛି। ଖାସ୍‌କରି ତେଲୁଗୁ ଲୋକଙ୍କୁ ଭୋଟ୍‌ ଦେବା ପାଇଁ ଅନୁରୋଧ କରିବାକୁ ଆସିଛି। ଗୋଟିଏ ଭଲ ପାର୍ଟି ଓ ସିଏମ୍‌ ପାଇଁ ଇଏ ମୋର ସାମାନ୍ୟ ଯୋଗଦାନ। ରାଜ୍ୟର ଗରିବ ଲୋକଙ୍କ ପାଇଁ ସିଏମ୍‌ ଭଲ କାମ କରୁଛନ୍ତି। ସାରା ଭାରତରେ ନବୀନଜୀଙ୍କ ନାଁ ରହିଛି। ତାମିଲନାଡୁ, କେରଳ, କର୍ଣ୍ଣାଟ ଯେଉଁଠିକି ମୁଁ ଯାଉଛି, ତାଙ୍କ ନାଁ ଶୁଣିବାକୁ ପାଉଛୁ। କ୍ରମାଗତ ଭାବେ ୫ ଥର ଜିତି ମୁଖ୍ୟମନ୍ତ୍ରୀ ହେବା ଗୋଟିଏ ଜୋକ୍‌ ନୁହେଁ। ସେଥିପାଇଁ ମୁଁ କହୁଛି, ସିଏ ଜଣେ ବ୍ୟକ୍ତି ନୁହେଁ, ମହାଶକ୍ତି। ଏପରି ବ୍ୟକ୍ତିଙ୍କୁ ଆଗକୁ ବଢ଼ିବା ପାଇଁ ସୁଯୋଗ ଦିଆଯାଉ। ଯଦି ମୁଖ୍ୟମନ୍ତ୍ରୀ ମୋତେ ଡାକିବେ, ତାହାହେଲେ ମୁଁ ଆସି ତାଙ୍କ ଦଳ ପାଇଁ ପ୍ରଚାର କରିବି।”

Exit mobile version