Site icon Ethara Sambhala

‘ଯଦି ମୋତେ ସତରେ ପଦ୍ମ ଭୂଷଣ ଦେବାକୁ ଘୋଷଣା କରିଛନ୍ତି, ତାହାକୁ ଅଗ୍ରାହ୍ୟ କରୁଛି’………!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏହି ତାଲିକାରେ  ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ନାମ ସାମିଲ ହୋଇଥିବା ବେଳେ ସେ କିନ୍ତୁ ଏହି ପୁରସ୍କାରକୁ ପ୍ରତ୍ୟାଖାନ କରିଛନ୍ତି।  ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ସମେତ ବୁଦ୍ଧଦେବଙ୍କୁ ପଦ୍ମ ଭୂଷଣ ପୁରସ୍କାର ଦିଆଯିବା ନିମନ୍ତେ ଘୋଷଣା ହୋଇଥିବା ବେଳେ ସେ କିନ୍ତୁ ଏହାକୁ ଅସ୍ୱୀକାର କରିଛନ୍ତି । ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଏହି ସମ୍ମାନ ଦିଆଯାଉଥିବା ନେଇ ମୋତେ ଅଫିସିଆଲି କିଛି ସୂଚନା ଦିଆଯାଇ ନାହିଁ।   ଯଦି ମୋତେ ସେମାନେ ସତରେ ପଦ୍ମ ଭୂଷଣ ଦେବା ନିମନ୍ତେ ଘୋଷଣା କରିଛନ୍ତି, ତେବେ ମୁଁ ଏହାକୁ ଅସ୍ୱୀକାର କରୁଛି। ବୁଦ୍ଧଦେବଙ୍କ ଏପରି ନିଷ୍ପତ୍ତିରେ ତାଙ୍କ ପାର୍ଟି ସିପିଆଇ ବି ସହମତ ଥିବା ଜଣାଯାଇଛି। ବୁଦ୍ଧଦେବ  ପଦ୍ମ ଭୂଷଣ ପୁରସ୍କାରକୁ ଅସ୍ୱୀକାର କରିଥିବା ବେଳେ ଏହାକୁ ନେଇ କଂଗ୍ରେସ ନେତା ଜୟରାମ ରମେଶଙ୍କ ଟ୍ୱିଟ ଏବେ ଭାଇରାଲ ହେବାରେ ଲାଗିଛି। ଏନେଇ ପୂର୍ବତନ ମନ୍ତ୍ରୀ ଜୟରାମ ରମେଶ ଟ୍ୱିଟ କରି କହିଛନ୍ତି, ସେ ଗୁଲାମ ନୁହେଁ, ଆଜାଦ ରହିବାକୁ ଚାହାନ୍ତି। ବୁଦ୍ଧଦେବ ୨୦୦୦ ମସିହାରୁ ୨୦୧୧ ମସିହା ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ଏହାବାଦ ଯାଦବପୁର ବିଧାନସଭା ଆସନରୁ ସେ ୨୪ ବର୍ଷ ପର୍ଯ୍ୟନ୍ତ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ସିଙ୍ଗୁର, ନନ୍ଦିଗ୍ରାମ ପରି ଆନ୍ଦୋଳନ ନିମନ୍ତେ ତାଙ୍କୁ ଗାଦିଚ୍ୟୁତ ହେବାକୁ ପଡ଼ିଥିଲା। ଏହାପରେ ପଶ୍ଚିମବଙ୍ଗରେ  ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ କ୍ଷମତାକୁ ଆସିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ୪ ଜଣଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯିବ। ବିପିନ ରାୱତଙ୍କୁ ସାମାଜିକ ସେବା ପାଇଁ ପଦ୍ମ ବିଭୂଷଣରେ ସମ୍ମାନିତ କରାଯିବ। ସେହିପରି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କଲ୍ୟାଣ ସିଂ, ସାହିତ୍ୟ ଓ ଶିକ୍ଷା ପାଇଁ ଉତ୍ତର ପ୍ରଦେଶର ଦିବଙ୍ଗତ ରାଧେଶ୍ୟାମ ଖେମକା ଏବଂ ମହାରାଷ୍ଟ୍ରର ପ୍ରଭା ଆତ୍ରେଙ୍କୁ ମଧ୍ୟ ପଦ୍ମ ବିଭୂଷଣ ପୁରସ୍କାର ଦିଆଯିବ। ସେହିପରି ୧୭ ଜଣଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯିବ। ସେଥିମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାମ, ଭିକ୍ଟର ବାନାର୍ଜୀ (କଳା), ପାରାଆଥଲେଟ୍ ଦେବେନ୍ଦ୍ର ଝାଝାରିଆ, ରାଶିଦ୍ ଖାନ୍ (କଳା), ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ (ଜନ ବ୍ୟାପାର), ଓଡ଼ିଶାର ପ୍ରତିଭା ରାୟ (କଳା ଓ ଶିକ୍ଷା) ଅନ୍ୟତମ ନାଁ ରହିଛି।

Exit mobile version