Site icon Ethara Sambhala

କଂଗ୍ରେସ ଛାଡ଼ିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବିଜେପିରେ ମିଶିଲେ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଜୋରଦାର ଝଟକା ଲାଗିଛି। ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରପିଏନ୍‌ ସିଂହ ଆଜି କଂଗ୍ରେସକୁ ବାଏବାଏ କହିଛନ୍ତି। ଏହାପରେ ସେ ବିଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି। ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଜେପିର ଉତ୍ତର ପ୍ରଦେଶ ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହ ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ବିଜେପିରେ ମିଶିବା ପୂର୍ବରୁ ଶ୍ରୀ ସିଂହ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ତାଙ୍କର ଇସ୍ତଫାପତ୍ର ପଠାଇ ଥିଲେ। ଏହି ଇସ୍ତଫାପତ୍ରର ଗୋଟିଏ କପି ସେ ଟ୍ୱିଟର୍‌ରେ ପୋଷ୍ଟ କରିଛନ୍ତି। ଏଥିସହ ସେ ଲେଖିଛନ୍ତି ଯେ “ଆମେ ଆମର ମହାନ ଗଣତନ୍ତ୍ରର ପ୍ରତିଷ୍ଠା ପାଇଁ ଉତ୍ସବ ମନାଉଛେ। ଏହି ଅବସରରେ ମୁଁ ମୋର ରାଜନୀତିକ କ୍ୟାରିୟରର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି। ଜୟ ହିନ୍ଦ।” କଂଗ୍ରେସ ତାଙ୍କୁ ଦେଶବାସୀଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ଶ୍ରୀ ସିଂହ ଧନ୍ୟବାଦ ଜଣାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ସିଂହଙ୍କୁ ବିଜେପି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିବ। ସେ ବିଜେପି ଛାଡ଼ି ସମାଜବାଦୀ ପାର୍ଟିରେ ମିଶିଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ଛିଡ଼ା ହେବେ। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିକଟରେ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଥିଲା। ଏଥିରେ ଆରପିଏନ ସିଂହଙ୍କ ନାଁ ମଧ୍ୟ ଥିଲା। ହେଲେ ଆଜି ସେ ବିଜେପିରେ ମିଶି କଂଗ୍ରେସକୁ ଝଟକା ଦେଇଛନ୍ତି। ଶ୍ରୀ ସିଂହଙ୍କ ଏପରି ନିଷ୍ପତ୍ତିକୁ କଂଗ୍ରେସ ନେତା କାର୍ତ୍ତି ପି ଚିଦାମ୍ବରମ ତୀବ୍ର ସମାଲୋଚନା କରିଛନ୍ତି।

Exit mobile version