Site icon Ethara Sambhala

ମୋଦିଙ୍କ ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ମନ୍ତ୍ର ପାଠ। ଚାଲିଛି ମହାମୃତ୍ୟୁଞ୍ଜୟ ପୂଜା। ଆଜି ସାରା ଦେଶରେ ମୋଦିଙ୍କ ଦୀର୍ଘୟୁ କାମନା କରି ବିଜେପି ପକ୍ଷରୁ ପୂଜାର୍ଚ୍ଚନା କରାଯାଇଛି। ଗତକାଲି ପଞ୍ଜାବ ଗସ୍ତରେ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଓ ତାଙ୍କ ଜୀବନ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ଏଡାଇବା ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ ଆୟୋଜନ ହୋଇଛି। ଦିଲ୍ଲୀର ଝଣ୍ଡେଓ୍ୱାଲା ଦେବୀ ମନ୍ଦିରରେ ମହାମୃତ୍ୟୁଞ୍ଜୟ ମନ୍ତ୍ରପାଠ କରି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ  ପଣ୍ଡା ଏହାର ଶୁଭାରମ୍ଭ କରିଛନ୍ତି। ସେହିପରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ମୋଦୀଙ୍କ ଦୀର୍ଘାୟୁ କାମନା କରି ପୂଜାପାଠ କରିଛନ୍ତି।  ସାରା ଦେଶରେ ଆଜି ମୋଦିଙ୍କ ପାଇଁ ପୂଜାପାଠ କରାଯାଉଥିବା ବେଳେ ସଂଧ୍ୟାରେ ଏକ କ୍ୟାଣ୍ଡେଲ ମାର୍ଚ୍ଚ ହେବ। ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ୯୫୦ ଜିଲ୍ଲା କ୍ୟାଣ୍ଡେଲ ରାଲିର ଆୟୋଜନ କରାଯିବ। ମୋଦିଙ୍କ ସୁରକ୍ଷା ଅବହେଳା ପଞ୍ଜାବ କଂଗ୍ରେସ ସରକାର ଓ ସେଠାକାର ମୁଖ୍ୟମନ୍ତ୍ରୀଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ। ଏହାକୁ ଜିଲ୍ଲା ବିଜେପି ଦୃଢ଼ ନିନ୍ଦା କରୁଛି। ଘଟଣାର ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ବିଜେପି ଦାବି କରିଛି। ଅନ୍ୟପଟେ ଏହି ଘଟଣାକୁ ନେଇ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଗତକାଲିର ଘଟଣା ସଂପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିବା ସୂଚନା ମିଳିଛି। ଗତକାଲି ପଂଜାବ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ସାଂଘାତିକ ତ୍ରୁଟି ହୋଇଥିଲା।  କୃଷକଙ୍କ ବିକ୍ଷୋଭ ପାଇଁ ଫ୍ଲାଏ ଓଭରରେ କିଛି ସମୟ ଫସି ରହିଥିଲେ ମୋଦି। ଏହାକୁ ନେଇ ସାରା ଦେଶରେ ଉଦବେଗ ପ୍ରକାଶ କରାଯାଇଥିଲା  ଘଟଣାର ତଦନ୍ତ କରିବା ପାଇଁ ପଂଜାବ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।  ଏହି କମିଟି ୩ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବ। ସେପଟେ ତଦନ୍ତ ପାଇଁ ଗଠିତ  ଉଚ୍ଚସ୍ତରୀୟ କମିଟିକୁ ବିଜେପି ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଛି।  ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ କମିଟି କୌଣସି ତଥ୍ୟ ପାଇବେ ନାହିଁ କାରଣ ପଂଜାବ ମୁଖ୍ୟମନ୍ତ୍ରୀ ହିଁ ଷଡ଼ଯନ୍ତ୍ରକାରୀ ବୋଲି ପଂଜାବ ବିଜେପି ସଭାପତି ଅଭିଯୋଗ କରିଛନ୍ତି। ସେପଟେ ପଞ୍ଜାବ ଗସ୍ତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡର ସୁରକ୍ଷାରେ ଅବହେଳା ଘଟଣାକୁ ନେଇ ଭୁବନେଶ୍ୱରରେ ପ୍ରତିବାଦର ସ୍ୱର ଦେଖିବାକୁ ମିଳିଥିଲା। ବିଜେପିର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଏ ଘଟଣାର ପ୍ରତିବାଦ କରାଯାଇଥିଲା। ରାଜ୍ୟ ବିଜେପି ମୁଖ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ଶତାଧିକ ବିଜେପି କର୍ମୀ ରାମ ମନ୍ଦିର ଛକରେ ପ୍ରତିବାଦ କରିଥିଲେ। ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ ବିଜେପି କର୍ମୀ। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଓ ସୁରକ୍ଷା ଯୋଗାଇବା ସବୁ ରାଜ୍ୟର ଦାୟିତ୍ୱ ବୋଲି ବିଜେପି କହିଛି।

Exit mobile version