Site icon Ethara Sambhala

ବାବୁଲ ସୁପ୍ରିୟୋଙ୍କ ସୁରକ୍ଷା ବଳୟ ହ୍ରାସ କଲା କେନ୍ଦ୍ର….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବାବୁଲ ସୁପ୍ରିୟୋ ଟିଏମସିରେ ଯୋଗଦେବା ମାତ୍ରେ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ବାବୁଲ ସୁପ୍ରିୟୋଙ୍କ ଜୀବନ ପ୍ରତି ବିପଦ ଥିବାରୁ କେନ୍ଦ୍ର ସରକାର ତାଙ୍କ ସୁରକ୍ଷା ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳର କମାଣ୍ଡୋଙ୍କୁ ନିୟୋଜିତ କରିଥିଲେ। ହେଲେ ଆଜି ଏହି ସୁରକ୍ଷା ବଳୟକୁ ହ୍ରାସ କରି ଦିଆଯାଇଛି। ପୂର୍ବରୁ ତାଙ୍କୁ ଜେଡ୍‌ ସ୍ତରୀୟ ସୁରକ୍ଷା ମିଳୁଥିଲା। କିନ୍ତୁ ଏବେ ଏହାକୁ ହ୍ରାସ କରି ୱାଇ ସ୍ତରୀୟ କରି ଦିଆଯାଇଛି। ଦେଶର ଭିଭିଆଇପି ଓ ଜୀବନ ପ୍ରତି ବିପଦ ଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ତରର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ। ସ୍ଥିତିକୁ ଦେଖି ଜେଡ+, ଜେଡ, ୱାଇ+, ୱାଇ ଓ ଏକ୍ସ ବର୍ଗର ସୁରକ୍ଷା ବ୍ୟବସ୍ଥା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଯୋଗାଇ ଦିଆଯାଏ। ଏହି କ୍ରମରେ ବାବୁଲଙ୍କୁ ଜେଡ୍‌ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା। କିନ୍ତୁ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ଓ ଗୁଇନ୍ଦା ବିଭାଗର ତଥ୍ୟ ଆଧାରରେ ବାବୁଲଙ୍କ ସୁରକ୍ଷା ବଳୟକୁ ଆଜି ହ୍ରାସ କରାଯାଇଥିବା କେନ୍ଦ୍ର ସରକାର କହିଛନ୍ତି। ପୂର୍ବରୁ ବାବୁଲଙ୍କୁ ସିଆରପିଏଫ ଯବାନମାନେ ସବୁ ପ୍ରକାରର ସୁରକ୍ଷା ଯୋଗାଇ ଦେଉଥିଲେ। ସେ ଯିବା ଆସିବା କରିବା ବେଳେ ୬ରୁ ୭ ଜଣ କମାଣ୍ଡୋ ତାଙ୍କୁ ଘେରି ରହୁଥିଲେ। ହେଲେ ଏବେ କେବଳ ଦୁଇ ଜଣ ଯବାନ ତାଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ। ପୂର୍ବରୁ ମଧ୍ୟ ବିଜେପି ଛାଡ଼ି ଟିଏମସିରେ ମିଶିଥିବା ମୁକଲ ରୟଙ୍କ କ୍ଷେତ୍ରରେ କେନ୍ଦ୍ର ସରକାର ସମାନ ପଦକ୍ଷେପ ନେଇଥିଲେ।

Exit mobile version