Site icon Ethara Sambhala

ସରକାରୀ ଜାଗାରେ ବିଜେଡି ବିଧାୟକ ନିର୍ମାଣ କରୁଛନ୍ତି ଘର…..!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଗରିବ ଖଟିଖିଆ ଭୂମିହୀନ ଘରଟିଏ ନିର୍ମାଣ ପାଇଁ ଜାଗା ଖଣ୍ଡିଏ ପାଉନାହିଁ। ହେଲେ ଜି.ଉଦୟଗିରି ବିଜେଡି ବିଧାୟକ ସାଲୁଗା ପ୍ରଧାନ ବିଜୁ ପାଠାଗାର ନାଁ ନେଇ ସରକାରୀ ଜାଗାରେ ନିଜସ୍ୱ ଘର ନିର୍ମାଣ କରୁଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଜି.ଉଦୟଗିରିର ଜନପ୍ରତିନିଧିମାନେ ରାସ୍ତାକୁ ଓହ୍ଲାଇଛନ୍ତି। ବିଧାୟକ ନିର୍ମାଣ କରିଥିବା ଘରକୁ ସିଲ୍‌ କରିବା ଦାବିରେ ଧାରଣାରେ ବସିଛନ୍ତି। ଜି.ଉଦୟଗିରି ବିଜେଡି ବିଧାୟକ ହେଉଛନ୍ତି ସାଲୁଗା ପ୍ରଧାନ। ସେ ବେଆଇନ ଭାବେ ସରକାରୀ ଜମିକୁ ଅକ୍ତିଆର କରି କୋଠା ନିର୍ମାଣ କରୁଥିବା ଅଭିଯୋଗ ହୋଇଛି। ବିଧାୟକଙ୍କ ଇଙ୍ଗିତରେ କୁଆଡ଼େ ଦାରିଙ୍ଗବାଡି ବ୍ଲକ୍‌ ନିର୍ବାହୀ ଅଧିକାରୀ ବବୃହାନ ବେହେରା ବେଆଇନ କାର୍ଯ୍ୟ ଚଳାଇ ଆସୁଛନ୍ତି। ଗୋଟିଏ ପଟେ ଗରିବ ଲୋକେ ଘର ନିର୍ମାଣ ଲାଗି ଜମି ଖଣ୍ଡିଏ ପାଉନଥିବା ବେଳେ ଖୋଦ୍‌ ବିଧାୟକ କିଭଳି ସରକାରୀ ଜମିରେ କୋଠା ନିର୍ମାଣ କରୁଛନ୍ତି ବୋଲି ଜନ ପ୍ରତିନିଧିମାନେ ପ୍ରଶ୍ନ କରିଛନ୍ତି। ଏହାର ପ୍ରତିବାଦରେ ଜନ ପ୍ରତିନିଧିମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଦାରିଙ୍ଗବାଡ଼ି ବ୍ଲକ୍‌ ଚେୟାରମ୍ୟାନ୍‌ ରୁଦା ମଲିକ ଏହାର ନେତୃତ୍ୱରେ ଜନ ପ୍ରତିନିଧିମାନେ ଧାରଣାରେ ବସିଛନ୍ତି। ପ୍ରଶାସନ ତୁରନ୍ତ ବିଧାୟକଙ୍କ ବେଆଇନ୍‌ କୋଠାକୁ ସିଲ କରିବା ସହ ନିର୍ବାହୀ ଅଧିକାରୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନ ପ୍ରତିନିଧିମାନେ ଦାବି କରିଛନ୍ତି। ଜନ ପ୍ରତିନିଧିଙ୍କ ଏପରି ଅଭିଯୋଗ ନେଇ ବିଧାୟକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଆନ୍ଦୋଳନ କରୁଥିବା ଜଣେ ଜନ ପ୍ରତିନିଧି କହିଛନ୍ତି-“ଗରିବ ଲୋକଟି ଘର ଖଣ୍ଡିଏ ନିର୍ମାଣ ପାଇଁ ଜାଗା ପାଉନାହିଁ। ହେଲେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ବିଜୁ ପାଠାଗାର ନାଁରେ ସରକାରୀ ଜାଗାରେ ନିଜର କୋଠା ନିର୍ମାଣ କରୁଛନ୍ତି। ଏହାର ବିହିତ ତଦନ୍ତ କରାଯାଇ ଉକ୍ତ ଘରକୁ ସିଲ୍‌ କରାଯାଉ।”

Exit mobile version