Site icon Ethara Sambhala

ନବଗଠିତ ପିସିସି କମିଟିର ପ୍ରଥମ ବୈଠକ;ଜିଲ୍ଲା ବୁଲିବେ ଓଡ଼ିଶା ପିସିସି ପ୍ରଭାରୀ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଦେଶ କଂଗ୍ରେସ କମିଟି ପ୍ରାୟ ଦୀର୍ଘ ଦେଢ଼ବର୍ଷ ପରେ ନିଜର ପୁର୍ନଗଠନ କରିଥିବାବେଳେ ଆଜି ଏହି କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଜିଲ୍ଲା ଗସ୍ତରେ ଯିବେ ବୋଲି ପୂର୍ବରୁ ଘୋଷଣା କରିଥିବା ବେଳେ ଓଡ଼ିଶା ପିସିସି ପ୍ରଭାରୀ ଏ.ଚେଲ୍ଲା କୁମାର ମଧ୍ୟ ଆସନ୍ତାମାସରୁ ପ୍ରତି ଜିଲ୍ଲା ଗସ୍ତ କରି ବିଜେଡି ସରକାରର ବିଫଳତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବେ ବୋଲି କହିଛନ୍ତି। ମିଳିଥିବା ସୂଚନା ଅନୁସାରେ ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବଗଠିତ ପିସିସି କମିଟିର ଆଜି ପ୍ରଥମ ବୈଠକରେ ଆଗାମୀ ପଂଚାୟତ ଓ ପୌର ନିର୍ବାଚନ, ପିପିଲି ଉପନିର୍ବାଚନ ଏବଂ ସଂଗଠନକୁ ସୁଦୃଢ଼ କରିବା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏହି ବୈଠକ ସମ୍ପର୍କରେ ସୂଚନା ଦେଇ ପିସିସି ପ୍ରଭାରୀ ଚେଲ୍ଲାକୁମାର କହିଛନ୍ତି ଯେ, ପିପିଲି ସହ ପଂଚାୟତ ନିର୍ବାଚନ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି। ସଂଗଠନ ଠିକ୍‌ ଚାଲିଛି। ମାତ୍ର ଦଳୀୟ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ଏବେ ପିସିସି ସଭାପତି ପରିବର୍ତ୍ତନ ହେବାର ମଧ୍ୟ ପ୍ରଶ୍ନ ଉଠୁନି। ସେ ଆସନ୍ତାମାସରୁ ପ୍ରତି ଜିଲ୍ଲା ଗସ୍ତ କରିବେ। ସାଧାରଣ ଲୋକଙ୍କ ସହ ମିଶିବେ। ରାଜ୍ୟ ସରକାରଙ୍କ ବିଫଳତା ଲୋକଙ୍କ ନିକଟରେ ପହଂଚାଇବେ। କଂଗ୍ରେସର ଅନେକ ଯୋଜନା ବିଜେଡି କିଭଳି ହାଇଜ୍ୟାକ୍ କରିଛି ତାହା ଜଣାଇବେ ବୋଲି ସେ କହିଛନ୍ତି। ଏହି ବୈଠକରେ ପିସିସି କମିଟିର ଅଧିକାଂଶ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Exit mobile version