ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଓଡ଼ିଶାର ପୁରୀରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର ଢାଞ୍ଚାରେ ଏକ ଜଗନ୍ନାଥ ମନ୍ଦିର ତିଆରି ହେବ ଲକ୍ଷ୍ନୌରେ। ଏଥିପାଇଁ ଜମି ଦେବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ପୁରୀ ଶୈଳୀରେ ଲକ୍ଷ୍ନୌରେ ମଧ୍ୟ ଜଗନ୍ନାଥ ମନ୍ଦିର ତିଆରି ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୫ ଏକର ଜମି ଦେବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ସେହିପରି ସରୋଜିନ ନଗରର ବିଜନୋରରେ “ଓଡ଼ିଶା କଲଚର ଆଣ୍ଡ ରିସର୍ଚ୍ଚ ସେଣ୍ଟର” ମଧ୍ୟ ତିଆରି ହେବ। ୨୦୧୮ରେ ଯୋଗୀ ଓଡ଼ିଆ ସମାଜର ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇ ଏସବୁ ପ୍ରକଳ୍ପ କାମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତଦନୁଯାୟୀ, ଜଗନ୍ନାଥ ମନ୍ଦିର ଓ ଓଡ଼ିଶା କଲଚର ଆଣ୍ଡ ରିସର୍ଚ୍ଚ ସେଣ୍ଟର ତିଆରି କରିବାକୁ ଜମି ଯୋଗାଇ ଦେଇଛନ୍ତି। ୨୦୧୮ ଉତ୍କଳ ଦିବସରେ ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗୀ ଆଦିତ୍ୟନାଥ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସେମାନେ ଯୋଗୀଙ୍କ ଆଗରେ ଓଡ଼ିଶା କଲଚର ଆଣ୍ଡ ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା କରିବାକୁ ଦାବି ଜଣାଇଥିଲେ। ଯୋଗୀ ଏଥିରେ ରାଜି ହେବା ସହ ଜଗନ୍ନାଥ ମନ୍ଦିର ମଧ୍ୟ ପ୍ରତିଷ୍ଠା ପାଇଁ ସହାୟତା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ନିକଟରେ ପ୍ରଶାସନ ତରଫରୁ ଓଡ଼ିଆ ସାମାଜକୁ ଅବଗତ କରାଯାଇଛି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶକ୍ରମେ ଓଡ଼ିଶାର କଲଚର ସେଣ୍ଟର ଓ ମନ୍ଦିର ପାଇଁ ସରୋଜିନ ନଗରର ବିଜନୋରରେ ଥିବା ୫ ଏକର ଜମି ହସ୍ତାନ୍ତର କରାଯିବ। ଏହାପରେ ମନ୍ଦିର ଓ କଲଚର ସେଣ୍ଟର ତିଆରି ପ୍ରକ୍ରିୟା ଆରମ୍ଭ ହେବ। ଲକ୍ଷ୍ନୌରେ ଥିବା ଓଡ଼ିଆ ସମାଜର ମହାସଚିବ ଡା ଡିଆର ସାହୁ କହିଛନ୍ତି, “ଏହି ଘୋଷଣା ପରେ ଓଡ଼ିଆ ସମାଜ ବେଶ ଉତ୍ସାହିତ ରହିଛି। ମନ୍ଦିରଟି ସଂପୂର୍ଣ୍ଣ ଭାବେ ଜଗନ୍ନାଥ ମନ୍ଦିର ଭଳି ତିଆରି ହେବ। ପୁରୀର ଜଗନ୍ନାଥ ମନ୍ଦିର ଶୈଳୀକୁ ଲୋକମାନେ ଲକ୍ଷ୍ନୌରେ ଦେଖିପାରିବେ। ସେହିପରି କଲଚର ସେଣ୍ଟର ପ୍ରତିଷ୍ଠା ହେବା ଦ୍ୱାରା ଓଡ଼ିଶାର ସଂସ୍କୃତି ଓ ହସ୍ତକଳା ସମ୍ପର୍କରେ ଲୋକମାନେ ଅଧିକ ଜାଣିପାରିବେ। ଏହି ସ୍ଥାନରେ ନିର୍ମାଣ ହେବାକୁ ଥିବା ସଭାଘରେ ଓଡ଼ିଆ ସମାଜର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ।”ମନ୍ଦିର ନିର୍ମାଣ ସଂକ୍ରାନ୍ତ ଜମି ହସ୍ତାନ୍ତର ସମ୍ପର୍କରେ ସ୍ୱତନ୍ତ୍ର ସଚିବ ରଣବିଜୟ ସିଂହ ଲକ୍ଷ୍ନୌ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଅଧିକାରୀ ଗୃହ ଓ ନଗର ଉନ୍ନୟନର ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି। ଏହାପରେ ଭୂମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସୂଚନାଯୋଗ୍ୟ, ଲକ୍ଷ୍ନୌରେ ଓଡ଼ିଆ ଲୋକଙ୍କ ସଂଖ୍ୟା ପ୍ରାୟ ୧ ଲକ୍ଷ ରହିଛି। ୧୯୯୪ରୁ ଓଡ଼ିଆ ସମାଜ ଲକ୍ଷ୍ନୌରେ ବିଭିନ୍ନ ସାଂସ୍କୃତି ଓ ସାମାଜିକ କାମ କରି ଆସୁଛି। ୧୯୯୯ରେ ଓଡ଼ିଶାରେ ହୋଇଥିବା ମହାବାତ୍ୟା ସମୟରେ ଓଡ଼ିଆ ସମାଜ ପକ୍ଷରୁ ଲୋକଙ୍କ ସାହାଯ୍ୟ ପାଇଁ ୨ କୋଟି ୨୫ ଲକ୍ଷ ଟଙ୍କାର ସହାୟତା କରାଯାଇଥିଲା।
ପୁରୀ ଶୈଳୀରେ ଲକ୍ଷ୍ନୌରେ ହେବ ଭବ୍ୟ ଜଗନ୍ନାଥ ମନ୍ଦିର, ଜମି ଦେଲେ ଯୋଗୀ…!

