Site icon Ethara Sambhala

ଆରଟିଆଇ ରିପୋର୍ଟରେ ସାଂଘାତିକ ତଥ୍ୟ ; ବିପଦପୂର୍ଣ୍ଣ ଶ୍ରୀମନ୍ଦିର ରତ୍ନଭଣ୍ଡାର …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ପ୍ରତି ବିପଦ ରହିଛି। ବାହାର ଭଣ୍ଡାର କାନ୍ଥ ଓ ଛାତରେ ଫାଟ ସୃଷ୍ଟି ହୋଇଛି। ଭିତର ଭଣ୍ଡାର ଅବସ୍ଥା ମଧ୍ୟ ସମାନ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ସରକାରୀ ତଥ୍ୟରୁ ଏପରି ଅନେକ କଥା ଜଣାପଡ଼ିଛି। ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ହଜି ଯିବା ଓ ପରେ ପୁରୀ ଟ୍ରେଜେରିରେ ପରିତ୍ୟକ୍ତ ଲଫାଫାରୁ ଉଦ୍ଧାର ହେବା ଘଟଣାକୁ ନେଇ ଦିନେ ସମଗ୍ର ରାଜ୍ୟରେ ତୁମ୍ବି ତୋଫାନ ସୃଷ୍ଟି ହୋଇଥିଲା। ହେଲେ ୨୦୧୮ ମସିହାର ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟରେ କିନ୍ତୁ ରତ୍ନଭଣ୍ଡାର ଚାବି ହଜି ଯାଇଥିବା କଥା ଆଦୌ ଉଲ୍ଲେଖ ନାହିଁ। ଫଳରେ ଚାବି ହଜିଯିବା ଘଟଣାର ସତ୍ୟତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ ସଂପର୍କରେ ଜାଣିବାକୁ ୨୦୧୮ ମସିହାରେ ଆରଟିଆଇ ଆକ୍ଟରେ ଆବେଦନ ହୋଇଥିଲା । ଏହା ଆଧାରରେ  ଶ୍ରୀମନ୍ଦିର ପ୍ରଶାସନଠାରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଏପରି ଚାଞ୍ଚଲ୍ୟକର ତଥ୍ୟ।  ସୂଚନା ଅଧିକାର କର୍ମୀ ଦିଲ୍ଲୀପ ବରାଳଙ୍କୁ ମିଳିଥିବା ସୂଚନା ଅନୁସାରେ ଉଭୟ ବାହାର ଭଣ୍ଡାର ଓ ଭିତର ଭଣ୍ଡାର ଅବସ୍ଥା ବିପଦପୂର୍ଣ୍ଣ ରହିଛି। ବହୁ ସ୍ଥାନରେ ଛାତରୁ ସିମେଣ୍ଟ ଖସୁଥିବାବେଳେ କାନ୍ଥ ଓଦା ରହିଛି ବୋଲି ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ବିଧି ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ୨୦୧୮ ଏପ୍ରିଲ୍ ୪ରେ ସ୍ୱତନ୍ତ୍ର କମିଟି ଦ୍ୱାରା ବାହାର ରତ୍ନଭଣ୍ଡାର ଚାବି ଖୋଲାଯାଇଥିଲା। ଭଣ୍ଡାର ମେକାପଙ୍କ ସହ ସମସ୍ତ ପ୍ରାଧିକୃତ ବ୍ୟକ୍ତି ବାହାର ଭଣ୍ଡାର ଘରକୁ ପ୍ରବେଶ କରିଥିଲେ। ପ୍ରଥମେ ଏହି ଘରର କାନ୍ଥ ଓ ଛାତକୁ ଏଏସ୍ଆଇ ଏବଂ କୋର କମିଟି ସଦସ୍ୟଙ୍କ ସହ ହାଇକୋର୍ଟଙ୍କ ପ୍ରତିନିଧି ଲାଇଟ୍ ପକାଇ ଅନୁଧ୍ୟାନ କରିଥିଲେ। ଅଳନ୍ଧୁ ସଫା କରାଯିବା ପରେ କାନ୍ଥ ଓ ଛାତରେ ଥିବା ଫାଟ ପରିଷ୍କାର ଦେଖା ଯାଇଥିଲା। କାନ୍ଥର କେତେକ ସ୍ଥାନ ଓଦାଳିଆ ମଧ୍ୟ ରହିଥିଲା। ସେହିପରି ବାହାର ଭଣ୍ଡାର ଜାଲି ବାଟ ଦେଇ ଭିତର ଭଣ୍ଡାର ଘର କାନ୍ଥ ଓ ଛାତକୁ ମଧ୍ୟ ଲାଇଟ୍ ପକାଇ ପ୍ରାଧିକୃତ ସଦସ୍ୟ ଓ ପ୍ରଶାସକମାନେ ଦେଖିଥିଲେ। ତେବେ କେହି ଜଣେ ବି ଭିତର ଭଣ୍ଡାର ତାଲା ଖୋଲିବାକୁ ଆବଶ୍ୟକ ମନେ କରିନଥିଲେ। ଭିତର ଭଣ୍ଡାରରେ ୩ଟି ତାଲା ପଡ଼ିଥିଲା। ସେଥିରୁ ଗୋଟିକରେ ଜଉମୁଦ ରହିଥିଲା। ବାହାରୁ ଏକ ଲୁହା ପାଇପ୍ ଆଣି ଜାଲି ବାଟ ଦେଇ ପାଇପ ଭର୍ତ୍ତି କରି ଭିତର ଭଣ୍ଡାରର ଦୈର୍ଘ୍ୟ ଓ ପ୍ରସ୍ଥ ମାପିଥିଲେ। ହେଲେ କେହି ବି ଭିତର ଭଣ୍ଡାର ଖୋଲିବାକୁ ଚାହିଁନଥିଲେ କି ଉଦ୍ୟମ କରିନଥିଲେ।ବଡ଼ କଥା ହେଲା ସେଦିନର ପୂରା ବିବରଣୀରେ କିନ୍ତୁ ରତ୍ନଭଣ୍ଡାର ଚାବି ହଜି ଯାଇଥିବା କଥା ଆଦୌ  ଉଲ୍ଲେଖ ନଥିଲା। ତେଣୁ ରତ୍ନ ଭଣ୍ଡାର ଚାବି ହଜି ଯିବା ଓ ପରେ ପୁରୀ ଟ୍ରେଜେରିରୁ ପରିତ୍ୟକ୍ତ ଲଫାଫାରୁ ଉଦ୍ଧାର ହେବା ଘଟଣାର ସତ୍ୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏହାଛଡ଼ା ଭଣ୍ଡାର ଘରର ମରାମତି ଜରୁରୀ ଥିଲେ ବି ସେନେଇ କୌଣସି ପଦକ୍ଷେପ ନିଆଯାଇ ନଥିବା ମଧ୍ୟ ଏହି ତଥ୍ୟରୁ ଜଣାପଡ଼ିଛି। ଆଇନମନ୍ତ୍ରୀଙ୍କୁ ଏସମ୍ପର୍କରେ ପଚରାଯିବାରେ ସେ କହିଛନ୍ତି, ରତ୍ନଭଣ୍ଡାର ସୁରକ୍ଷା ପାଇଁ ଯାହା ପଦକ୍ଷେପ ଦରକାର ତାହା ନିଆଯିବ।

Exit mobile version