ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଆରଜେଡିର ପୋଷ୍ଟର ଓ ବ୍ୟାନରକୁ ନେଇ ଦେଖାଯାଇଥିବା ବିବାଦ ପ୍ରସଙ୍ଗରେ ସାମ୍ବାଦିକମାନଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ। ତେଜ ପ୍ରତାପଙ୍କ ସଭାରେ ଲାଗିଥିବା ପୋଷ୍ଟର ଓ ବ୍ୟାନରରୁ ସାନ ଭାଇ ତେଜସ୍ୱୀ ଯାଦବଙ୍କ ଫଟୋ ଗାଏବ ଥିବାରୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଦଳ ମଧ୍ୟରେ କ୍ଷମତାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ମଧ୍ୟ ଆକଳନ କରାଯାଇଥିଲା। ତେବେ ଏହାକୁ ଭିତ୍ତିହୀନ ବୋଲି କହି ତେଜ ପ୍ରତାପ ସାମ୍ବାଦିକଙ୍କ ମାନଙ୍କ ନାଁରେ ଏଫଆଇଆର, ପିଆଇଏଲ ଓ ମାନହାନୀ କେସ୍ କରିବେ ବୋଲି ଧମକ ଦେଇଛନ୍ତି। ଫେସବୁକ ଲାଇଭରେ ଆସି ତେଜ ପ୍ରତାପ ସାମ୍ବାଦିକମାନଙ୍କୁ କହିଛନ୍ତି, “ଆପଣମାନଙ୍କ ଯୋଗ୍ୟତା କ’ଣ? ମୁଁ ସମସ୍ତଙ୍କ ବିରୋଧରେ ଏଫଆଇଆର, ପିଆଇଏଲ ଓ ମାନହାନୀ କେସ୍ କରିବି। ମୁଁ ଆମ ଓକିଲଙ୍କୁ ଡାକି କେସ୍ କରିବି। ବିହାରର ବିକ୍ରି ହୋଇଥିବା ମିଡିଆ ମୋ କଥା ଶୁଣନ୍ତୁ। ମୁଁ ସମସ୍ତ ବିରୋଧରେ ମାନହାନୀ କେସ୍ କରିବି। ମୁଁ ଯାହା କହେ, ସେଇଆ କରେ।” ମିଡିଆକୁ ଟାର୍ଗେଟ କରିବା ବେଳେ ତେଜ ପ୍ରତାପ ଏକାଧିକ ସାମ୍ବାଦିକମାନଙ୍କ ନାଁ ନେଇଥିଲେ। ଏହି ସାମ୍ବାଦିକମାନେ ତାଙ୍କ ଛବିକୁ ମଳିନ କରିବାକୁ ଚାହୁଁଥିବା ତେଜ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଆଜି ମିଡିଆ ମୋତେ ବ୍ୟାନର କଥା କହୁଛି। କିନ୍ତୁ ଯେତେବେଳେ ଲାଲୁ ଯାଦବ, ରାବ୍ରୀ ଦେବୀ, ମିଶା ଭାରତୀ ଓ ତେଜ ପ୍ରତାପଙ୍କ ଫଟୋ ନଥିଲା ସେତେବେଳେ ମିଡିଆ କ’ଣ କରୁଥିଲା? କ’ଣ ସମସ୍ତେ ଶୋଇ ପଡ଼ିଥିଲେ। ବିରୋଧୀମାନେ ଭଲ ଭାବେ ଜାଣି ସାରିଛନ୍ତି ଯେ ଦୁଇ ଭାଇ ତେଜ ଓ ତେଜସ୍ୱୀ ବିହାରକୁ ସଫଳତାର ଶୀର୍ଷରେ ପହଞ୍ଚାଇବେ। ତେଣୁ ସେମାନେ ଏବେ ଅପପ୍ରଚାର କରିବା ଆରମ୍ଭ କରିଛନ୍ତି। ତେଜସ୍ୱୀ ମୋ ଅର୍ଜୁନ ହୋଇଥିବାରୁ ଯେଉଁମାନେ ଈର୍ଷାରେ ଜଳୁଛନ୍ତି, ସେମାନଙ୍କୁ ଆହୁରି ଜଳିବାକୁ ଦିଆଯାଉ।” ରବିବାର ତେଜ ଆରଜେଡି ଛାତ୍ର ସଂଗଠନକୁ ସମ୍ବୋଧନ କରିଥିଲେ। ଏଥିପାଇଁ ପାଟନାରେ ଥିବା ଆରଜେଡି ମୁଖ୍ୟାଳୟରେ ବଡ଼ବଡ଼ ପୋଷ୍ଟର ଓ ବ୍ୟାନର ଲଗାଯାଇଥିଲେ। ଏଥିରେ ଲାଲୁ, ରାବ୍ରୀ ଦେବୀ ଓ ତେଜ ପ୍ରତାପଙ୍କ ଫଟୋ ଥିଲା। କିନ୍ତୁ ତେଜସ୍ୱୀଙ୍କ ଫଟୋ ନଥିଲା।
ସାମ୍ବାଦିକମାନଙ୍କୁ ଖୋଲାଖୋଲି ଧମକ ଦେଲେ ତେଜ ପ୍ରତାପ…!

