Site icon Ethara Sambhala

କାଲି ଠାରୁ କୋଭିଡ୍ – ୧୯ ନିୟମ ପାଳନ କରି ସବୁ ରୁଟରେ ଗଡିବ ‘ମୋ ବସ୍’…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା ମହାମାରୀ ଯୋଗୁ ବନ୍ଦ ଥିବା ‘ମୋ ବସ୍’ ସେବା ଗତ ଜୁଲାଇ ୧୬ ତାରିଖରୁ ଆରମ୍ଭ ହୋଇଥିଲେ ମଧ୍ୟ ସବୁ ରୁଟରେ ବସ ଚାଲି ନ ଥିଲା । କୋଭିଡ୍ କଟକଣା କୋହଳ ହେବା ପରେ ଆସନ୍ତା ୨ତାରିଖ ସୋମବାରରୁ ପୁଣିଥରେ ସବୁ ରୂୁଟରେ ବସ୍ ଚଳପ୍ରଚଳ କରିବ ।ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡଲାଇନ୍ ପାଳନ କରି ଏହି ବସ୍ ଚଳାଚଳ ଆରମ୍ଭ କରାଯିବ ବୋଲି କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ) ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର କହିଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ, ଆସନ୍ତା ସୋମବାରରୁ ସମସ୍ତ ୨୫ଟି ରୁଟରେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ‘ମୋ ବସ୍’ ଚାଲିବ । ସୋମବାରୁ ଶୁକ୍ରବାର ପର୍ଯ୍ୟନ୍ତ ଏସବୁ ମାର୍ଗରେ ମୋଟ ୧୯୪ଟି ବସ୍ ଚଳପ୍ରଚଳ କରିବ । ସାପ୍ତାହିକ ଶଟଡାଉନ୍ ଯୋଗୁ ଶନିବାର ଓ ରବିବାର ବସ୍ ସେବା ବନ୍ଦ ରହିବ । କିନ୍ତୁ ଏହି ସମୟରେ ବିମାନବନ୍ଦରରୁ ରେଳଷ୍ଟେସନ ପର୍ଯ୍ୟନ୍ତ ବସ୍ ସେବା ଜାରି ରହିବ । ତେବେ ସୋମବାରଠୁ ସବୁ ମାର୍ଗରେ ବସ୍ ଚଳପ୍ରଚଳ କଲେ ମଧ୍ୟ ବସରେ କୌଣସି ଯାତ୍ରୀଙ୍କୁ ଠିଆ ହୋଇ ଯିବାକୁ ସୁଯୋଗ ମିଳିବ ନାହିଁ । ସମସ୍ତ ଯାତ୍ରୀଙ୍କ ପାଇଁ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ବିନା ମାସ୍କରେ ବସ ଭିତରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ମୋ ବସରେ ଯାତାୟତବେଳେ ଯାତ୍ରୀମାନେ ନିଜ ଆଡ଼ୁ ସତର୍କତାମୂଳକ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି । ମୋ ବସ୍’ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଦୁଇ ଡୋଜ୍ ଟିକା ନେଇସାରିଛନ୍ତି । ନିୟମିତ ଭାବେ ବସଗୁଡ଼ିକ ସାନିଟାଇଜ୍ କରାଯାଉଛି ଓ ଯାତ୍ରୀଙ୍କ ନିରାପତ୍ତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି ସୂଚନା ଦିଆଯାଇଛି ।

Exit mobile version