Site icon Ethara Sambhala

ଟୋକିଓ ଅଲିମ୍ପିକ୍ସ: ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ପୁରୁଷ ହକି ଟିମ୍…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଟୋକିଓ ଅଲିମ୍ପିକ୍ସରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ପୁରୁଷ ହକି ଟିମ୍। ଗ୍ରୁପ୍‌ ‘ଏ’ରେ ଥିବା ଭାରତୀୟ ଟିମ୍ ତା’ର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି। ଦଳ ୩-୨ ଗୋଲ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି। ଭାରତ ପକ୍ଷରୁ ହରମନପ୍ରୀତ ସିଂହ ୨ଟି ଗୋଲ୍ ଦେଇଥିବା ବେଳେ ରୂପିନ୍ଦର ପଲ୍ ସିଂହ ଗୋଟିଏ ଗୋଲ୍ ଦେଇଥିଲେ। ମ୍ୟାଚ୍‌ ଆରମ୍ଭ ହେବାର ୬ ମିନିଟ୍‌ ପରେ ନ୍ୟୁଜିଲ୍ୟାଣ୍ଡର କେନ୍ ରସେଲ୍ ଦେଇଥିଲେ ପ୍ରଥମ ଗୋଲ୍‌। ସେ ଏକ ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇଥିଲେ। ହେଲେ ଏହାର ୪ ମିନିଟ୍ ପରେ ରୂପିନ୍ଦର ଦେଇଥିଲେ ଏକ ଗୋଲ୍‌। ଏହା ପରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ସମାନ ସ୍ଥିତିକୁ ଚାଲି ଆସିଥିଲେ। ପ୍ରଥମ କ୍ୱାର୍ଟରରେ ନ୍ୟୁଜିଲ୍ୟାଣ୍ଡ ପଛକୁ ପଛ ଲଗାତାର ଚାରୋଟି ପେନାଲ୍‌ଟି କର୍ଣ୍ଣର ପାଇଥିଲା। ତେବେ ଦଳ ସେଗୁଡ଼ିକୁ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇ ନଥିଲା। ଦ୍ୱିତୀୟ କ୍ୱାର୍ଟରରେ ଖେଳ ସଂପୂର୍ଣ୍ଣ ଭାବେ ଭାରତ ନିୟନ୍ତ୍ରଣରେ ରହିଥିଲା। ୨୬ତମ ମିନିଟ୍‌ରେ ଭାରତ ପକ୍ଷରୁ ହରମନପ୍ରୀତ୍‌ ଦେଇଥିଲେ ଦ୍ୱିତୀୟ ଗୋଲ୍‌। ଏହା ସହିତ ଦଳ ନ୍ୟୁଜିଲ୍ୟାଣ୍ଡ ଠାରୁ ୨-୧ରେ ଆଗୁଆ ରହିଥିଲା। ଏହା ପରେ ପରେ ହରମନପ୍ରୀତ୍‌ ଦଳ ପାଇଁ ଆଉ ଏକ ଗୋଲ ଦେଇଥିଲେ। ଫଳରେ ଭାରତ ୩-୧ରେ ଆଗୁଆ ରହିଥିଲା। ୪୩ ତମ ମିନିଟ୍‌ରେ ନ୍ୟୁଜିଲ୍ୟାଣ୍ଡ ଆଉ ଗୋଟିଏ ଗୋଲ ଦେଇ ଥିଲା। ତେବେ ଚତୁର୍ଥ କ୍ୱାର୍ଟରରେ ଉଭୟ ଦଳ ଭଲ ଖେଳିଥିଲେ ମଧ୍ୟ କେହି କାହାକୁ ଗୋଲ୍ ଦେଇ ପାରି ନଥିଲେ। ଆଉ ଶେଷରେ ୩-୨ରେ ଭାରତ ବିଜୟୀ ହୋଇଥିଲା। ସେହିପରି ଅନ୍ୟ ଏକ ମ୍ୟାଚ୍‌ରେ ଟୋକିଓ ଅଲିମ୍ପିକ୍ସ ଆୟୋଜକ ଜାପାନକୁ ୫-୩ ଗୋଲ୍‌ରେ ପରାସ୍ତ କରିଛି ଅଷ୍ଟ୍ରେଲିଆ। ଅନ୍ୟପକ୍ଷରେ ଆର୍ଚେରୀ ମିକ୍ସଡ୍‌ ଟିମ୍ ଇଭେଣ୍ଟ କ୍ୱାର୍ଟରରେ ପ୍ରବେଶ କରିଛନ୍ତି ଦୀପିକା କୁମାରୀ ଓ ପ୍ରବୀଣ ଯାଦବ। ସେମାନେ ଚାଇନିଜ ତାଇପେଇ ଯୋଡ଼ି ଚି-ଚୁନ୍ ତାଙ୍ଗ ଓ ଚିଆ-ଏନ୍‌ ଯୋଡ଼ିଙ୍କୁ ୫-୩ରେ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ପ୍ରଥମ ଥର ପାଇଁ ଟୋକିଓ ଅଲିମ୍ପିକ୍ସରେ ଆର୍ଚେରୀ ମିକ୍ସଡ୍‌ ଟିମ୍ ଇଭେଣ୍ଟକୁ ସାମିଲ କରାଯାଇଛି ଓ ଭାରତ ପକ୍ଷରୁ ଦୀପିକା ଓ ପ୍ରବୀଣ ପ୍ରଥମ ଯୋଡ଼ି ଭାବେ ଏଥିରେ ଭାଗ ନେଇଛନ୍ତି। ସେହିପରି ପ୍ରଥମ ଥର ପାଇଁ ଦୀପିକା ଓ ପ୍ରବୀଣ ଏକାଠି ଖେଳୁଛନ୍ତି। ଟୋକିଓ ୨୦୨୦ ଅଲିମ୍ପିକ୍ସରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଚୀନର ଶୁଟର ୟାଙ୍ଗ କିଆନ୍‌। ସେ  ଶନିବାର ମହିଳା ୧୦ ମିଟର ଏୟାର ରାଇଫଲ୍‌ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

Exit mobile version