Site icon Ethara Sambhala

ବାଧିଲା ପରାଜୟ, କ୍ୟାପଟେନଙ୍କ ଉପରେ ରାଗ ଶୁଝାଇଲେ କୋଚ୍….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଶିଖର ଧୱନଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ଏପର୍ଯ୍ୟନ୍ତ ଆଶା ମୁତାବକ ପ୍ରଦର୍ଶନ କରିଛି। ଭାରତୀୟ ଟିମ୍ ଦ୍ୱିତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୩ ୱିକେଟରେ ପରାସ୍ତ କରି ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି। ଦିନିକିଆ ଇତିହାସରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ଏହା ୯୩ତମ ବିଜୟ। ମ୍ୟାଚରେ ଅଧିକାଂଶ ସମୟ ଶ୍ରୀଲଙ୍କା ଟିମ୍ ଭାରତ ଉପରେ ଭାରି ପଡ଼ିଥିଲା। କିନ୍ତୁ ଦୀପକ ଚହର୍ ଓ ଭୁବନେଶ୍ୱର କୁମାରଙ୍କ ମଧ୍ୟରେ ଅଷ୍ଟମ ୱିକେଟ୍ ପାଇଁ ହୋଇଥିବା ୮୪ ରନର ଭାଗିଦାରୀ ବଳରେ ଟିମ୍ ଇଣ୍ଡିଆ ଘରୋଇ ଦଳ ମୁଠାରୁ ମ୍ୟାଚ୍ ଛଡ଼ାଇ ନେଇଥିଲା। ଚହର୍ ୬୯ ଓ ଭୁବି ୧୯ ରନ୍ କରି ଅପରାଜିତ ଥିଲେ। ଏହି ରୋମାଞ୍ଚକର ମ୍ୟାଚର ଚାପ ଶ୍ରୀଲଙ୍କା କୋଚ୍ ମିକି ଆର୍ଥରଙ୍କ ମୁହଁରେ ସ୍ପଷ୍ଟ ବାରି ହେଉଥିଲା। ଭାରତୀୟ ଟିମର ୱିକେଟ୍ ପତନ ସମୟରେ ସେ ବହୁତ ଖୁସି ହେଉଥିଲେ, କିନ୍ତୁ ୱିକେଟ୍ ନମିଳିଲେ ନିରାଶ ହେଉଥିଲେ। ଏହାବ୍ୟତୀତ ସେ କେତେବେଳେ ନିଜ ସିଟରୁ ଛିଡ଼ା ହୋଇଯାଇଥିଲେ ସେ କେତେବେଳେ ବସି ରହୁଥିଲା। କେବଳ ଏତିକି ନୁହେଁ ମ୍ୟାଚ୍ ଶେଷ ହେବା ପରେ ଆର୍ଥର୍ ବହୁତ ନିରାଶ ହୋଇଥିଲେ। ସେ ମଇଦାନ ଭିତରକୁ ଯାଇ କ୍ୟାପଟେନ୍ ଦାସୁଦ୍ ଶନାକାଙ୍କୁ ବହୁତ କଥା ଶୁଣାଇଥିଲେ। ସୋଶାଲ୍ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ୍ ହୋଇଛି। ଭିଡିଓରେ ଆର୍ଥର୍ ଶ୍ରୀଲଙ୍କା କ୍ୟାପଟେନଙ୍କ ନିଷ୍ପତ୍ତିରେ ନିରାଶ ହୋଇଥିବା ଦେଖିବାକୁ ମିଳିଛି। ଏପରିକି ସେ କ୍ୟାପଟେନ୍ ଶନାକାଙ୍କୁ ରାଗିକି କିଛି କହୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ କ୍ୟାପଟେନ୍ ଶନାକା ନିଜକୁ ବଞ୍ଚାଇବାକୁ ଯାଇ କୋଚଙ୍କୁ ବୁଝାଇବାକୁ ପ୍ରୟାସ କରୁଥିଲେ। କିନ୍ତୁ ଆର୍ଥର୍ ରାଗିକି ଗ୍ରାଉଣ୍ଡରୁ ବାହାରକୁ ଚାଲିଯାଉଥିବା ଦେଖିବାକୁ ମିଳିଛି। ତେବେ ଏହି ଘଟଣା ପରେ ଆର୍ଥର୍ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆମ ଭିତରେ କିଛି ବି ଯୁକ୍ତିତର୍କ ହୋଇନାହିଁ। ଆମେ ନିଜ ବିଚାର ପରସ୍ପର ସହ ବାଣ୍ଟୁଥିଲୁ। ସୂଚନାଯୋଗ୍ୟ, ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ୱିକେଟ୍ ହରାଇ ୨୭୫ ରନ୍ କରିଥିଲା। ଭାରତ ୪୯.୧ ଓଭରରେ ୨୭୬ ରନ୍ କରି ବିଜୟୀ ହୋଇଥିଲେ। ଭାରତ ପକ୍ଷରୁ ଦୀପକ ଚହର୍, ସୂର୍ଯ୍ୟକୁମାର ଯାଦବ ଓ ଭୁବନେଶ୍ୱର କୁମାର ପ୍ରମୁଖ ଭୂମିକା ବହନ କରିଥିଲେ।

Exit mobile version