Site icon Ethara Sambhala

ଲୋକଙ୍କ ଅଣ୍ଟା ଭାଙ୍ଗିଲାଣି ମହଙ୍ଗା ମାଡ଼, ଯନ୍ତ୍ରଣା ବୁଝିପାରୁନି ବିଜେଡି : କଂଗ୍ରେସ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ତୈଳଦର ଓ ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ଏବେ ହତାଶ ହୋଇପଡ଼ିଛି। ମହଙ୍ଗା ମାଡ଼ ସାଧାରଣ ଲୋକଙ୍କର ଅଣ୍ଟା ଭାଙ୍ଗି ସାରିଲାଣି, କିନ୍ତୁ ବିଜେପିର ‘ବି’ ଟିମ୍ ବିଜେଡି ଏହା ଚିନ୍ତା କରୁନି। ଗତ କିଛି ମାସ ମଧ୍ୟରେ ୨୪କୋଟି ଲୋକ ପୁଣିଥରେ ଦ୍ରାରିଦ୍ୟ ସୀମାରେଖା ତଳକୁ ଚାଲି ଯାଇଛନ୍ତି ବୋଲି ପୂର୍ବତନ ସାଂସଦ ତଥା ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ତଥା ରାଷ୍ଟ୍ରୀୟ ମୁଖପାତ୍ର ସୁସ୍ମିତା ଦେବ କହିଛନ୍ତି। ଶୁକ୍ରବାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁସ୍ମିତା ଦେବ କହିଛନ୍ତି ଯେ, କରୋନା ମହାମାରୀର ମୁକାବିଲାରେ ସରକାର ବିଫଳ ହୋଇଥିବାବେଳେ କରୋନା ଆଳରେ ମହଙ୍ଗା ମାଡ଼ ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଛି। ୨୦୦୪ ରୁ ୨୦୧୪ ମସିହା ଭିତରେ ଦାରିଦ୍ର‌୍ୟ ସୀମାରେଖାରୁ ଯେଉଁ ୨୪କୋଟି ଲୋକ ଉପରକୁ ଉଠିଥିଲେ ଏବେ ମୋଦି ସରକାରଙ୍କର ଭୁଲ୍ ନିଷ୍ପତ୍ତି ଓ ଅର୍ଥନୀତିକୁ ପରିଚାଳନା କରିବାରେ ବିଫଳତା ଯୋଗୁଁ ସେମାନେ ପୁଣିଥରେ ଦାରିଦ୍ର‌୍ୟ ସୀମାରେଖା ତଳକୁ ଚାଲିଯାଇଛନ୍ତି। ସେ କହିଛନ୍ତି, ସେଣ୍ଟର ଫର ମନିଟରିଙ୍ଗ୍ ଅଫ୍ ଇଣ୍ଡିଆ ଇକୋନୋମି (ସି.ଏମ୍‌.ଆଇ.ଇ.) ର ପରିସଂଖ୍ୟାନ ଅନୁସାରେ କରୋନାର ଦ୍ୱିତୀୟ ଲହରରେ ପାଖାପାଖି ୨ କୋଟିରୁ ଅଧିକ ଲୋକ ସମ୍ପୂର୍ଣ୍ଣ ଭାବରେ ତାଙ୍କର ରୋଜଗାର ହରାଇ ସାରିଛନ୍ତି। ଏପରିକି ପାଖାପାଖି ୯୭% ଭାରତୀୟମାନଙ୍କର ରୋଜଗାର ବହୁ ପରିମାଣରେ ହ୍ରାସ ଘଟିଛି। ଏପରିସ୍ଥଳେ ସରକାର ପେଟ୍ରୋଲ୍ ଓ ଡିଜେଲ ଉପରୁ ଅଧିକ ପରିମାଣର ଟ୍ୟାକ୍ସ ସଂଗ୍ରହ କରିବାକୁ ପଛାଉ ନାହାନ୍ତି। ଗତ ୭ ବର୍ଷ ଭିତରେ ମୋଦି ସରକାର କେବଳ ପେଟ୍ରୋଲ୍ ଏବଂ ଡିଜେଲ୍ ଉପରୁ ୨୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଆୟ କରିଛନ୍ତି । କିନ୍ତୁ ଏହି ଟଙ୍କା ଦେଶରେ କେଉଁ ବାବଦରେ ଖର୍ଚ୍ଚ ହୋଇଛି, ତାହାର ହିସାବ ଏପର୍ଯ୍ୟନ୍ତ ମୋଦି ସରକାର ଦେଶବାସୀଙ୍କ ସମ୍ମୁଖରେ ରଖିଲେ ନାହିଁ। ଓଡ଼ିଶାରେ ବିଜେଡ଼ି ଏବେ ବିଜେପିର ବି’ ଟିମ୍ ଭାବେ କାମ କରୁଛି। କରୋନା ମହାମାରୀ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ଭାତ ଥାଳି ଉପରେ ମହଙ୍ଗା ମାଡ଼ କେତେ କଷ୍ଟଦାୟକ ଓ ଯନ୍ତ୍ରଣାଦାୟକ ତାହା ଓଡ଼ିଶାର ବିଜେଡି ଚିନ୍ତା କରୁନି? ବିଜେଡ଼ି-ବିଜେପି ଭାଇ ଭାଇ, କେନ୍ଦ୍ରରେ ବିଜେଡି-ବିଜେପିର ‘ବି’ ଟିମ୍‌, ରାଜ୍ୟରେ ଠିକ୍ ଓଲଟା । ଏହି ଦୁଇ ଦଳ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ରାଜନୀତି କରନ୍ତି ନାହିଁ, ଏହା ବ୍ୟବସାୟୀମାନଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ରାଜନୀତି କରନ୍ତି ବୋଲି ସୁସ୍ମିତା କହିଛନ୍ତି। ସେହିପରି ଆସନ୍ତା ମୌସୁମୀ ଅଧିବେଶନରେ ସଂସଦରେ ଦରଦାମ୍ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ସହିତ ଘମାଘୋଟ୍ ଲଢେଇ ହେବ ବୋଲି ସାଂସଦ ସପ୍ତଗିରି ଉଲାକା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଓଡ଼ିଶା ସହପ୍ରଭାରୀ ଜି. ରୁଦ୍ର ରାଜୁ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ଓଡ଼ିଶା ମହିଳା କଂଗ୍ରେସ ପ୍ରଭାରୀ ନୀତା ଡିସୁଜା ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version