Site icon Ethara Sambhala

ଆଜି ଆସୁଛନ୍ତି ରାହୁଲ ; ‘ସମାଜ’ ଟାଉନ୍‌ହଲ୍‌ କାର୍ଯ୍ୟକ୍ରମରେ ଯୋଗଦେବେ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଗସ୍ତକୁ ସଫଳ କରିବା ପାଇଁ ପ୍ରସ୍ତୁତି ପର୍ବ ​ଶେଷ ହୋଇଛି। ତମାଣ୍ଡୋ ପଡ଼ିଆରେ ଅପରାହ୍ଣରେ ହେବାକୁ ଥିବା ପରିବର୍ତ୍ତନ ସଂକଳ୍ପ ସମାବେଶ ଲାଗି ଗୁରୁବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ରାଜ୍ୟପ୍ରଭାରୀ ଜିତେନ୍ଦ୍ର ସିଂହ ସଭାସ୍ଥଳ ପରିଦର୍ଶନ କରିଥିଲେ।
କାର୍ଯ୍ୟସୂଚୀ ଅନୁଯାୟୀ, ପୂର୍ବାହ୍ନ ୧୦ଟା୩୦ରେ ରାହୁଲ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯିବ। ବିମାନବନ୍ଦରଠାରୁ ପାଇକଆଖଡ଼ା ଓ ମଟର ସାଇକଲ ଶୋଭାଯାତ୍ରାରେ ରାହୁଲଙ୍କୁ ହୋଟେଲ ମେ ଫେୟାର ପର୍ଯ୍ୟନ୍ତ ନିଆଯିବ। ‘ସମାଜ’ ପକ୍ଷରୁ ହୋଟେଲ ମେ ଫେୟାରରେ ପୂର୍ବାହ୍ନ ୧୦ଟା୩୦ରୁ ଆୟୋଜିତ ହେବାକୁ ଥିବା ଟାଉନ୍‌ ହଲ୍‌ କାର୍ଯ୍ୟକ୍ରମରେ ଯୋଗଦେବେ। ଚଳିତ ବର୍ଷ ‘ସମାଜ’ ୧୦୦ ବର୍ଷ ପୂରଣ କରୁଥିବା ଦୃଷ୍ଟିରୁ ଭାରତର ପୁନଃ ପରିକଳ୍ପନାରେ ଓଡ଼ିଶା କିଭଳି ପଥ ପ୍ରଦର୍ଶକ ହୋଇପାରିବ ସେ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ବୃଦ୍ଧିଜୀବୀ, ପ୍ରତିଷ୍ଠିତ ବ୍ୟକ୍ତି, ଛାତ୍ର ଓ ଯୁବବର୍ଗଙ୍କ ସହ ଏକ ସ୍ବତନ୍ତ୍ର ବୈଠକରେ ଯୋଗଦେବେ। ଏହାପରେ
ଅପରାହ୍ଣ ୨ଟା୧୫ରେ ଦଳପକ୍ଷରୁ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେଇ ନେତା ଓ କର୍ମୀଙ୍କୁ ଉଦ୍‌ବୋଧନ ଦେବେ। ଅପରାହ୍ଣ ୪ଟା୧୫ରେ କଂଗ୍ରେସ ଭବନଠାରେ ଜିଲା କଂଗ୍ରେସ କମିଟି ସଭାପତି ଓ ସମନ୍ବୟ କମିଟି ସହ ଆଲୋଚନା କରିବାକୁ ଦଳ ପକ୍ଷରୁ ସ୍ଥିର କରାଯାଇଛି। ରାହୁଲ ୫ଟା୧୫ରେ ଦିଲୀ ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ରହିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ନିର୍ବାଚନ ଆଉ କମ୍‌ ଦିନ ରହିଥିବାରୁ ରାହୁଲଙ୍କ ଏହି ଗସ୍ତ ଓଡ଼ିଶା କଂଗ୍ରେସ ପାଇଁ ଗୁରୁତପୂର୍ଣ୍ଣ। ପରିବର୍ତ୍ତନ ସଂକଳ୍ପ ସମାବେଶରେ ରାହୁଲ ଗାନ୍ଧୀ ରାଜ୍ୟର ଚାଷୀଙ୍କ ପାଇଁ ଋଣ ଛାଡ଼ ଭଳି ପ୍ରସଙ୍ଗ ଉପରେ ଗୁରୁତ ଦେବାର ସମ୍ଭାବନା ରହିଛି। ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକଚ୍ଛତ୍ରବାଦ୍‌ ଓ ସମ୍ବିଧାନ ବିରୋଧୀ ଶାସନ ଏବଂ ରାଫେଲ ସଂପର୍କରେ ରାହୁଲ ମତବ୍ୟକ୍ତ କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ରାଜ୍ୟର ବହୁ ଗୁରୁତପୂର୍ଣ୍ଣ ପ୍ରସଙ୍ଗ ଉପରେ ରାହୁଲ ନିଜର ମତ ରଖିବେ ବୋଲି କଂଗ୍ରେସର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ କହିଛନ୍ତି।

Exit mobile version