ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ବଲିଉଡ୍ରେ ସିକ୍ରେଟ୍ ମ୍ୟାରେଜ୍ ବା ଲୁଚାଛପା ବାହାଘର କିଛି ନୂଆ କଥା ନୁହେଁ। ଏମିତି ଅନେକ ବଲିଉଡ୍ ସେଲେବ୍ରିଟି ଅଛନ୍ତି, ଯେଉଁମାନେ ଲୁଚିଲୁଚି ବାହା ହୋଇଥିଲେ। ଅର୍ଥାତ୍ ସେମାନଙ୍କ ବାହାଘର ସଂପର୍କରେ କେହି ଟେର୍ ପାଇ ନଥିଲେ। ଆଉ ଏମିତି ଏକ ଷ୍ଟାର କପଲ୍ ହେଉଛନ୍ତି ଅର୍ଚ୍ଚନା ପୂରନ୍ ସିଂହ ଓ ପରମୀତ ସେଠୀ। ଏ ଦୁହିଁଙ୍କ ବାହାଘର ସଂପର୍କରେ ବଲିଉଡ୍ର ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକଙ୍କ ପାଖରେ ବି ସୂଚନା ନଥିଲା। ଅର୍ଚ୍ଚନା ଓ ପରମୀତ୍ ୪ ବର୍ଷ ଧରି ସେମାନଙ୍କ ବାହାଘର ବିଷୟରେ କାହାକୁ କହି ନଥିଲେ। ସେମାନେ ଏହାକୁ ସଂପୂର୍ଣ୍ଣ ଗୁପ୍ତ ରଖିଥିଲେ। ତେବେ କାହିଁକି? ନିକଟରେ ଏକ ୱେବ୍ ସାଇଟ୍କୁ ଦେଇଥିବା ସାକ୍ଷାତକାରରେ ଅର୍ଚ୍ଚନା ଏହା ପଛରେ ଥିବା ରହସ୍ୟ ଉପରୁ ପରଦା ଉଠାଇଥିଲେ। ସେ କହିଥିଲେ ଯେ ସେ ସମୟରେ ଇଣ୍ଡଷ୍ଟ୍ରୀରେ ଗୋଟେ ସାଧାରଣ ଧାରଣା ଥିଲା ଯେ ଅଭିନେତ୍ରୀମାନେ ବାହା ହୋଇଗଲା ପରେ ସେମାନଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇଯାଏ। କାମ ପ୍ରତି ସେମାନଙ୍କର ସମର୍ପଣ ଭାବ ରହେ ନାହିଁ।
ସେମାନେ ଅଧିକ କାମ କରିପାରନ୍ତି ନାହିଁ। ଏମିତିକି ସେମାନେ ଫିଲ୍ମ ଅଧାରୁ ଚୁକ୍ତି ଭାଙ୍ଗି ଚାଲି ଯାଇପାରନ୍ତି ବୋଲି ନିର୍ମାତା ଓ ନିର୍ଦ୍ଦେଶକମାନେ ଆଶଙ୍କା କରୁଥିଲେ। ସେତେବେଳେ ଇଣ୍ଡଷ୍ଟ୍ରୀରେ ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଅଲଗା ଗାଇଡ୍ଲାଇନ୍ ରହୁଥିଲା। ସେଥିପାଇଁ ପରମୀତ୍ ଓ ସେ ସେମାନଙ୍କ ବିବାହକୁ ସିକ୍ରେଟ୍ ରଖିଥିଲେ। ଅର୍ଚ୍ଚନା ଆହୁରି କହିଥିଲେ, ମୋ କ୍ୟାରିୟରକୁ ଗୁରୁତ୍ୱ ଦେଇ ପରମୀତ୍ ସେତେବେଳେ ବିବାହ କରିବାକୁ ଚାହୁଁ ନଥିଲେ। କିନ୍ତୁ ପରେ ଆମେ ବାହା ହେବାକୁ ନିଷ୍ପତ୍ତି ନେଲୁ ଓ ଏହାକୁ ସଂପୂର୍ଣ୍ଣ ଭାବେ ବ୍ୟକ୍ତିଗତ ବ୍ୟାପାର କରି ରଖିଲୁ। ବିବାହ ସଂପର୍କରେ ଆମେ କାହାକୁ ଜଣାଇଲୁ ନାହିଁ। ସୂଚନାଯୋଗ୍ୟ, ବଲିଉଡ୍ ଫିଲ୍ମରେ ଅର୍ଚ୍ଚନା ସାଧାରଣତଃ କମେଡି ରୋଲ୍ରେ ଅଭିନୟ କରନ୍ତି। ଏହା ସହିତ ତାଙ୍କୁ ବିଭିନ୍ନ ଟେଲିଭିଜନ ଶୋ’ରେ ଜଜ୍ ଚୌକିରେ ଦେଖିବାକୁ ମିଳେ।

