Site icon Ethara Sambhala

ଲୋକାୟୁକ୍ତରେ ମାମଲା: ୩.୨୭ ଲକ୍ଷ ଟଙ୍କା ଫେରାଇଲେ ଆଇଏଏସ୍ ବିଷ୍ଣୁପଦ ସେଠୀ…..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ମୁଖ୍ୟ ଭାବେ ନିଜ ପତ୍ନୀ ଓ ପିତାଙ୍କ ଚିକିତ୍ସା ପାଇଁ ନେଇଥିବା ଅର୍ଥକୁ ରାଜସ୍ୱ ସଚିବ ଆଇଏଏସ୍ ବିଷ୍ଣୁପଦ ସେଠୀ ଫେରସ୍ତ କରିଛନ୍ତି। ଲୋକାୟୁକ୍ତରେ ମାମଲା ପରେ ଶ୍ରୀ ସେଠୀ ଗତ ଜୁନ୍ ୨୫ତାରିଖରେ ୩ଟି ଚେକରେ ମୋଟ ୩.୨୭ଲକ୍ଷ ଟଙ୍କାର ମେଡିକାଲ ବିଲ୍ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କକୁ ଫେରସ୍ତ କରିଥିବାରୁ ଲୋକାୟୁକ୍ତ ଆଜି ଏହି ମାମଲାକୁ ବନ୍ଦ କରିଛନ୍ତି । ସୂଚନାକର୍ମୀ ଶ୍ରୀକାନ୍ତ ପକାଳ ଲୋକାୟୁକ୍ତରେ ଅଭିଯୋଗ କରିଥିଲେ। ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ୍ ସିଂ ଆଜି ଆଇଏଏସ୍ ଶ୍ରୀ ସେଠୀଙ୍କ ବିରୁଦ୍ଧରେ ଥିବା ମାମଲାକୁ ମଧ୍ୟ ବନ୍ଦ କରିଛନ୍ତି। ଶ୍ରୀ ସେଠୀ ୨୦୧୩ ଫେବୃୟାରୀ ୬ରୁ ୨୦୧୫ ଜୁଲାଇ ୨୮ତାରିଖ ମଧ୍ୟରେ ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଥିବା ସମୟରେ ୩ଟି କିସ୍ତିରେ ନିଜ ପିତା ଭଜହରି ସେଠୀ ଓ ପତ୍ନୀ ବୈଶାଳୀ ସେଠୀଙ୍କ ଚିକିତ୍ସା ପାଇଁ ୩.୨୭ଲକ୍ଷ ଟଙ୍କା ବ୍ୟାଙ୍କରୁ ନେଇଥିଲେ। ରାଜ୍ୟ ସରକାରଙ୍କ ଅନୁମତି ପରେ ସେହି ଅର୍ଥ ତାଙ୍କୁ ବ୍ୟାଙ୍କରୁ ମିଳିଥିଲା। ତେବେ ଶ୍ରୀ ସେଠୀ ଯେଉଁ ସମୟରେ ଏହି ଚିକିତ୍ସା ଅର୍ଥ ନେଇଥିଲେ ସେତେବେଳେ ସେ ସମବାୟ ବିଭାଗର ସଚିବ ଥିବାରୁ ତାଙ୍କର କ୍ଷମତା ଉପରେ ସୂଚନାକର୍ମୀ ଶ୍ରୀ ପକାଳ ପ୍ରଶ୍ନ ଉଠାଇ ନିଜ ପଦର ଦୁରୂପଯୋଗ କରି ବେଆଇନ ଭାବେ ମେଡିକାଲ ବିଲ୍ ନେଇଥିବା ଅଭିଯୋଗ ଆଣିଥିଲେ। ଶ୍ରୀ ପକାଳ ଏନେଇ ଲୋକାୟୁକ୍ତରେ ମାମଲା ମଧ୍ୟ ରୁଜୁ କରିଥିଲେ। ଲୋକାୟୁକ୍ତ ଏହି ମାମଲାର ଶୁଣାଣି କରିବା ସହ ତଦନ୍ତ ମଧ୍ୟ କରାଇଥିଲେ। ଡାଇରେକ୍ଟର ଅଫ ଇନକ୍ୱାରି ମାଧ୍ୟମରେ ଶ୍ରୀ ସେଠୀଙ୍କ ବିରୁଦ୍ଧରେ ଏହି ଅଭିଯୋଗର ତଦନ୍ତ ଲୋକାୟୁକ୍ତ କରାଇଥିଲେ। ତେବେ ତଦନ୍ତ ପରେ ଶ୍ରୀ ସେଠୀ ୨୦୨୧ ଜୁନ୍ ୨୫ତାରିଖରେ ମୋଟ ୩.୨୭ଲକ୍ଷ ଟଙ୍କାକୁ ୩ଟି ଚେକ୍ ମାଧ୍ୟମରେ ବ୍ୟାଙ୍କକୁ ଫେରସ୍ତ କରିଛନ୍ତି। ଯେହେତୁ ଶ୍ରୀ ସେଠୀ ସହୃଦୟତା ଦେଖାଇ ଏହି ଅର୍ଥ ଫେରସ୍ତ କରିସାରିଛନ୍ତି ତେଣୁ ତାଙ୍କ ବିରୁଦ୍ଧରେ ରହିଥିବା ଅଭିଯୋଗକୁ ମଧ୍ୟ ବନ୍ଦ କରାଗଲା ବୋଲି ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ସିଂ ତାଙ୍କ ରାୟରେ କହିଛନ୍ତି।

Exit mobile version