Site icon Ethara Sambhala

ଏଣିକି ପ୍ରଥମ ଶ୍ରେଣୀରୁ ସଂସ୍କୃତ ପଢ଼ିବେ ପିଲା, ସିଲାବସ୍‌ରେ ଧାରା ୩୭୦…..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଏଣିକି ସଂସ୍କୃତ ପାଠକୁ ପ୍ରଥମ ଶ୍ରେଣୀରୁ ପିଲାକୁ ପଢ଼ିବାକୁ ହେବ। ଉତ୍ତର ପ୍ରଦେଶର ବେସିକ ଶିକ୍ଷା ବିଭାଗ ଏପରି ନିଷ୍ପତ୍ତି ନେଇଛି। ସେହିପରି ୪ର୍ଥ ଓ ୫ ଶ୍ରେଣୀ ପିଲାଙ୍କ ପାଠ୍ୟ ଖସଡ଼ାରେ ବୈଦିକ ଗଣିତକୁ ସାମିଲ କରାଯାଇଛି। ପିଲାମାନଙ୍କୁ ପିଲାଟି ବେଳକୁ ଉଚିତ ଶିକ୍ଷାଦାନ ଦେବାକୁ ଏପରି ବ୍ୟବସ୍ଥା ହୋଇଥିବା କୁହାଯାଉଛି। ଏହାବାଦ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ଗୁଡ଼ିକରେ ପାଠପଢ଼ୁଥିବା ପିଲାମାନଙ୍କ ସିଲାବସ୍‌ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଓ ୩୫-ଏ ଉଚ୍ଛେଦ ଘଟଣାର ତଥ୍ୟକୁ ସାମିଲ କରାଯାଇଛି। ଗୁରୁ ଗୋବିନ୍ଦ ସିଂହଙ୍କ ବୀରତା ସମ୍ପର୍କରେ ମଧ୍ୟ ସ୍କୁଲରେ ପଢ଼ାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ଏପରି ସିଲାବସ୍‌କୁ ନେଇ ବିରୋଧୀ ଆପତ୍ତି ଉଠାଇଛନ୍ତି। ଛୋଟ ପିଲାଙ୍କ ଶିକ୍ଷା ବ୍ୟବସ୍ଥା ଦ୍ୱାରା ବିଜେପି ନିଜର ଏଜେଣ୍ଡା ପ୍ରଚାର କରିବାକୁ ଚାହୁଁଥିବା ସେମାନେ ଅଭିଯୋଗ କରିଛନ୍ତି। ସମାଜବାଦୀ ପାର୍ଟିର ମୁଖପାତ୍ର ଅନୁରାଗ କହିଛନ୍ତି, ଏହା କେବଳ ସଂସ୍କୃତ ପାଠକୁ ନେଇ ନୁହେଁ। ଅନ୍ୟ ବିଷୟବସ୍ତକୁ ମଧ୍ୟ ସାମାନ୍ତରଳ ଭାବେ ସାମିଲ କରାଯିବା ଦରକାର।ଶିକ୍ଷା ବ୍ୟବସ୍ଥା ବିଶ୍ୱସ୍ତରୀୟ ହେବା ଉଚିତ ସତ, ହେଲେ କେବଳ ସରକାର କରିଥିବା କାମ ଗୁଡ଼ିକ ପ୍ରଚାର କରି ଏହାକୁ କେବେ ବି ହାସଲ କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି। ମୌଲାନା ସୁଫିଆନ ନିଜାମି କହିଛନ୍ତି, ଧାରା ୩୭୦ରେ ଉଚ୍ଛେଦ ଘଟଣା ଏବେ ବି ସୁପ୍ରିମକୋର୍ଟରେ ରହିଛି। ତେଣୁ ଏଭଳି ଏକ ବିବାଦୀୟ ବିଷୟବସ୍ତୁକୁ ପିଲାଙ୍କ ସିଲାବସ୍‌ରେ ସାମିଲ କରାଯିବା ଠିକ୍‌ ନୁହେଁ। ସଂସ୍କୃତକୁ ପାଠ୍ୟକ୍ରମରେ ସାମିଲ କରାଯିବା ଭଲ। କିନ୍ତୁ ବିକଳ୍ପ ଭାବେ ଉର୍ଦ୍ଦ୍ୱୁକୁ ମଧ୍ୟ ରଖାଯିବା ଉଚିତ।

Exit mobile version