Site icon Ethara Sambhala

ରାଜସାକ୍ଷୀ ହେବା ପରେ ଇଡିକୁ ୧୭.୨୫ କୋଟି ଦେଲେ ନୀରବ ମୋଦିଙ୍କ ଭଉଣୀ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପଳାତକ ଘୋଷିତ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭଉଣୀ ପୂରବୀ ଏବେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଦୁର୍ନୀତି ଘଟଣାରେ ରାଜସାକ୍ଷୀ ହୋଇଯାଇଛନ୍ତି। ସେ ରାଜସାକ୍ଷୀ ହେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ବ୍ୟାଙ୍କ ଆକାଉଣ୍ଟକୁ ୧୭.୨୫ କୋଟି ଟଙ୍କା ପଠାଇଛନ୍ତି। ଋଣ ଜାଲିଆତି ଘଟଣାରେ ପୂରବୀ ଓ ତାଙ୍କ ସ୍ୱାମୀ ଏମ ମେହେତାଙ୍କ ନାଁରେ ମଧ୍ୟ ମାମଲା ହୋଇଥିଲା। ତେବେ ଉଭୟ ରାଜସାକ୍ଷୀ ହେବାକୁ ସହମତି ପ୍ରକାଶ କରିବାରୁ ସେମାନଙ୍କ ନାଁକୁ ଅଭିଯୁକ୍ତ ତାଲିକାରୁ ବାଦ ଦିଆଯାଇଛି। ଏହାପରେ ସେ ବ୍ରିଟେନରେ ଥିବା ତାଙ୍କର ଗୋଟିଏ ଆକାଉଣ୍ଟରୁ ଏହି ପରିମାଣର ଟଙ୍କା ଭାରତ ସରକାରଙ୍କ ପାଖକୁ ପଠାଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ ପୂରବୀ ମୋଦି ଭାରତ ସରକାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆକାଉଣ୍ଟକୁ ବ୍ରିଟେନର ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ୨୩୧୬୮୮୯.୦୩ ଆମେରିକୀୟ ଡଲାର ପଠାଇଛନ୍ତି। ଏହାଦ୍ୱାରା ଇଡି ଭାରତୀୟ ମୁଦ୍ରାରେ ଋଣ ଜାଲିଆତି ଘଟଣାରେ ପ୍ରାୟ ୧୭.୨୫ କୋଟି ଟଙ୍କା ଉଦ୍ଧାର କରିପାରିଛି। ଜୁନ୍‌ ୨୪ରେ ପୂରବୀ ମୋଦି ଇଡିକୁ କହିଥିଲେ ଯେ ତାଙ୍କ ଭାଇ ନୀରବ ମୋଦି ତାଙ୍କ ଅଜାଣତରେ ତାଙ୍କ ନାଁରେ ଲଣ୍ଡନରେ ଥିବା ଗୋଟିଏ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ସମ୍ପର୍କରେ ସେ ଜାଣିବାକୁ ପାଇଛନ୍ତି। ଏଥିରେ କିଛି ଟଙ୍କା ମଧ୍ୟ ରହିଛି। ତେବେ ଏହି ଟଙ୍କା ସହ ପୂରବୀଙ୍କର କୌଣସି ଲିଙ୍କ ନନାହିଁ ବୋଲି ସେ ଇଡିକୁ କହିଥିଲେ। ଏଥିସହ ସେ ଅଭିଯୁକ୍ତ ତାଲିକାରୁ ତାଙ୍କର ଓ ତାଙ୍କ ସ୍ୱାମୀଙ୍କ ନାଁ ହଟାଇବା ପାଇଁ ରାଜସାକ୍ଷୀ ହେବାକୁ ଆଗ୍ରହ ଦେଖାଇଥିଲେ। ସେ ଇଡିକୁ ସବୁ ସତ କଥା କହିବା ସହ ଟଙ୍କା ଫେରାଇବାକୁ ଚାହିଁଥିଲେ। ଏହାପରେ ଇଡି ଉଭୟଙ୍କ ନାଁକୁ ଅଭିଯୁକ୍ତ ତାଲିକାକୁ ହଟାଇ ରାଜସାକ୍ଷୀ ଭାବେ ରଖିଛି। ସୂଚନାଯୋଗ୍ୟ, ପିଏନବିରୁ ୧୩,୫୦୦ କୋଟି ଟଙ୍କାର ଋଣ ଜାଲିଆତି ଘଟଣାର ମାଷ୍ଟରମାଇଣ୍ଡ ହେଉଛନ୍ତି ନୀରବ ମୋଦି। ତାଙ୍କ ସହ ମାମୁ ମେହୁଲ ଚୋକ୍ସି ମଧ୍ୟ ସାମିଲ ଥିଲେ। ଉଭୟ ଋଣ ଜାଲିଆତି କରିବା ପରେ ଭାରତରୁ ଫେରାର ହୋଇଯାଇଛନ୍ତି। ନୀରବ ଲଣ୍ଡରେ ଗିରଫ ହୋଇ ଜେଲରେ ଥିବା ବେଳେ ମେହୁଲ ଚୋକ୍ସି ଡୋମିନିକାରେ ଜେଲରେ ଅଛନ୍ତି। ଉଭୟଙ୍କୁ ଭାରତ ଫେରାଇ ଆଣିବା ପାଇଁ ସରକାର ଉଦ୍ୟମ କରୁଛନ୍ତି।

Exit mobile version