ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ରାଜ୍ୟର ୨୨ଟି ଜିଲ୍ଲାରେ ଆଜି ପେଟ୍ରୋଲ ଦର ୧୦୦ଟଙ୍କା ଉପରେ ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଲିଟର ୯୯ଟଙ୍କା ୮୫ପଇସା ରହିଛି। ଗତ କିଛିଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଥିବାବେଳେ ଓଡ଼ିଶାବାସୀଙ୍କ ଦଳ ବୋଲି ଦାବି କରୁଥିବା ଶାସକ ବିଜେଡି ଏହି ପ୍ରସଙ୍ଗରେ ଅସମ୍ଭବ ନିରବତା ଅବଲମ୍ବନ କରିଛି। ସାମାନ୍ୟ ତୈଳ ଓ ଏଲପିଜି ଦର ବଢ଼ିଲେ ରାଜରାସ୍ତା ଓ ବିଭିନ୍ନ ଫୋରମରେ ଲଢ଼େଇ କରୁଥିବା ବିଜେଡି ୨୦୧୯ ସାଧାରଣ ନିର୍ବାଚନ ପରଠୁ ମୁହଁରେ ତାଲା ପକାଇ ଦେଇଛି। ବିଜେଡିର ଏଭଳି ଦୋମୁହାଁ ନୀତିକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଥିବାବେଳେ ବିଜେଡି ଏବେ ବିଜେପିର ମୁଖ୍ୟ ଗୁମାସ୍ତା ବୋଲି କଂଗ୍ରେସ ଅଭିଯୋଗ କରିଛି। ଗତ କିଛିଦିନ ଧରି ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ୧୦୦ଟଙ୍କାରେ ପହଂଚିଲାଣି।
ସୂଚନା ଅନୁସାରେ, ରାଜଧାନୀ ଭୁବନେଶ୍ୱରରେ ଜୁନ୍ ପହିଲାରେ ପେଟ୍ରୋଲ ଲିଟର ପିଛା ୯୫ଟଙ୍କା ୨୨ ପଇସା ଥିବାବେଳେ ଜୁନ୍ ୨୯ରେ ଏହା ସର୍ବକାଳୀନ ରେକର୍ଡ ଭାଙ୍ଗି ୯୯ଟଙ୍କା ୯୬ ପଇସାରେ ପହଂଚିଛି। ମାସକ ମଧ୍ୟରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ପ୍ରାୟ ୫ଟଙ୍କା ବୃଦ୍ଧି ପାଇଥିବାବେଳେ ମାଲକାନଗିରିରେ ଲିଟର ପିଛା ୧୦୫ଟଙ୍କା ଛୁଇଁବାକୁ ବସିଲାଣି। ୨୦୨୦ ମେ’ ମାସରେ ରାଜ୍ୟର ବିଜେଡି ସରକାର ପେଟ୍ରୋଲ ଓ ଡିଜେଲ ଉପରେ ୨ ପ୍ରତିଶତ ଭ୍ୟାଟ୍ ବୃଦ୍ଧି କରିବାବେଳେ ଲିଟର ପିଛା ପେଟ୍ରୋଲ ଦର ୬୮.୫୮ଟଙ୍କା ଓ ଡିଜେଲ ୬୬.୭୦ଟଙ୍କା ରହିଥିଲା।
ପେଟ୍ରୋଲ ଉପରେ ୩୨ ପ୍ରତିଶତ ଓ ଡିଜେଲ ଉପରେ ୨୮ପ୍ରତିଶତ ଭ୍ୟାଟ ଓଡ଼ିଶା ନେଉଛି । କିନ୍ତୁ ଗତବର୍ଷକ ମଧ୍ୟରେ ତୈଳ ଦରରେ ଲିଟର ପିଛା ୩୨ରୁ ୩୫ଟଙ୍କା ବଢ଼ିଥିବାବେଳେ ଶାସକ ବିଜେଡି କିନ୍ତୁ ସମ୍ପୂର୍ଣ୍ଣ ନିରବ ରହିଛି। କରୋନା ମହାମାରୀ ଯୋଗୁ ସାଧାରଣ ଲୋକେ ଜୀବିକା ହରାଇ ବଂଚିବା ପାଇଁ ସଂଘର୍ଷ କରୁଥିବାବେଳେ ଦରଦାମ ବୃଦ୍ଧିର ବୋଝ ସେମାନଙ୍କ ନିମନ୍ତେ ଅସହ୍ୟ ହେବାରେ ଲାଗିଛି। ଏପଟେ ତୈଳଦର ହୁହୁ ହୋଇ ବଢ଼ି ଚାଲିଛି, ତା’ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ଅନୁରୂପ ବଢ଼ୁଛି। କିନ୍ତୁ ଲୋକଙ୍କ ସ୍ୱାର୍ଥ କଥା କହି ଭୋଟ୍ ହାତେଉଥିବା ରାଜନୀତିକ ଦଳଗୁଡ଼ିକ ଏଥିପ୍ରତି ସାମାନ୍ୟତମ ଦୃଷ୍ଟି ଦେଉନାହାନ୍ତି ।
ଆଶ୍ଚର୍ଯ୍ୟର କଥା, ୨୦୦୫-୦୬ ମସିହାରୁ ୨୦୧୪ ମସିହା ଜାନୁୟାରୀ ମାସ ପର୍ଯ୍ୟନ୍ତ କ୍ରମାଗତ ଭାବେ ରାଜରାସ୍ତାରେ କେନ୍ଦ୍ର ସରକାରଙ୍କ ତୈଳଦର ବୃଦ୍ଧିକୁ ବିଜେଡି ପ୍ରତିବାଦ କରୁଥିଲା, ଆଉ ୨୦୧୪ରେ କେନ୍ଦ୍ରରେ ବିଜେପି ସରକାର ଆସିବାପରେ ତୈଳଦର ବୃଦ୍ଧିକୁ ବିଜେଡିର ସ୍ୱର ନରମ ପଡ଼ିଥିଲା । କିନ୍ତୁ ୨୦୧୭ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ପୁଣିଥରେ ତୈଳଦର ବୃଦ୍ଧି ବିରୁଦ୍ଧରେ ସ୍ୱରକୁ ଶାଣିତ କରି ରାଜରାସ୍ତାକୁ ଓହ୍ଲାଇଥିଲା। ମାତ୍ର ୨୦୧୯ ସାଧାରଣ ନିର୍ବାଚନ ପରେ ତୈଳଦର କ୍ରମାଗତ ବୃଦ୍ଧି ପାଉଥିବା ସତ୍ତ୍ୱେ ବିଜେଡି ନିରବ ରହିଛି । ତୈଳ ଦର ବୃଦ୍ଧି ପ୍ରତିବାଦରେ ସାଧାରଣ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଜେଡି କୌଣସି ରାଜନୀତିକ କାର୍ଯ୍ୟକ୍ରମ କରିପାରୁଛି ନା ନିଜେ ଭ୍ୟାଟ୍ କମାଇ ଲୋକଙ୍କୁ ଆଶ୍ୱସ୍ତି ଦେଉଛି। ବିଜେଡିର ‘ତେଲ’ ରାଜନୀତି ସତେଯେମିତି ବିଜେଡି ରଣନୀତିକାରଙ୍କ ତଣ୍ଟିରେ ମାଛକଣ୍ଟା ଭଳି ଲାଗିଛି । ନା ଗିଳିପାରୁଛନ୍ତି ନା କାଢ଼ି ପାରୁଛନ୍ତି।

