ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ରାଜ୍ୟର ୧୮ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ‘କାଳିଆ’ ଯୋଜନାରେ ଆଜି ୩୧୮କୋଟି ଟଙ୍କା କୋଭିଡ୍ ସହାୟତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବାକୁ ନେଇ ବିଜେପି ପ୍ରତିକ୍ରିୟା ବ୍ୟକ୍ତ କରିଛି। ଭୂମିହୀନ ଚାଷୀଙ୍କର ତାଲିକା ବିନା କୋଭିଡ ସହାୟତା ରାଶି ଘୋଷଣା କରିବା ଓଡିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଇବା ସଦୃଶ ବୋଲି ବିଜେପି କହିଛି। ଏହାସହିତ ତୁରନ୍ତ ପଂଚାୟତିୱାରି କାଳିଆ ହିତାଧିକାରୀ ଓ ଭୂମିହୀନ ଚାଷୀଙ୍କ ତାଲିକାକୁ ସାର୍ବଜନୀନ କରିବାକୁ ଦାବି କରିଛି।
ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାରେ ୧୮ ଲକ୍ଷ ଭୂମିହୀନ କୃଷକ ପରିବାରଙ୍କୁ ୩୧୮ କୋଟି ଟଙ୍କାର କୋଭିଡ ସହାୟତା ଦେବେ ବୋଲି ଆଜି ବିଭିନ୍ନ ଛାପା ଗଣମାଧ୍ୟମରେ ପ୍ରଥମ ପୃଷ୍ଠା ମଣ୍ଡନ କରିଛି। ଏହା ଏକ ଭଲ ପଦକ୍ଷେପ। କିନ୍ତୁ ବାସ୍ତବରେ ଆଜି ୧୮ ଲକ୍ଷ ଭୂମିହୀନ ଚାଷୀଙ୍କୁ ରାଜ୍ୟ ସରକାର ସହାୟତା ଦେବେ ନାହିଁ । ପୁଣିଥରେ ନିଜ ଦଳୀୟ କର୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହା ଏକ ଭେଳିକି।
ରାଜ୍ୟରେ ଭୂମିହୀନ ଚାଷୀ କିଏ ? ସେ ଭୂମିହୀନ ଚାଷୀମାନଙ୍କୁ ରାଜ୍ୟ ସରକାର କେବେ ଚିହ୍ନଟ କଲେ ? କେବେ ସେମାନଙ୍କର ଗଣନା ହେଲା ଏବଂ କେଉଁ ଆଧାରରେ ୧୮ ଲକ୍ଷ ଭୂମିହୀନ ଚାଷୀ ଅଛନ୍ତି ବୋଲି ରାଜ୍ୟ ସରକାର ବିଜ୍ଞାପନରେ ଦର୍ଶାଇଛନ୍ତି ତାହା ସ୍ପଷ୍ଟ କରିବା ଦରକାର। ଯଦି ସରକାର ଭୂମିହୀନ ଚାଷୀଙ୍କ ତାଲିକା ବିଜ୍ଞାପନରେ ଦର୍ଶାଉଛନ୍ତି ତେବେ ତାହା ସାର୍ବଜନୀନ କରୁନାହାଁନ୍ତି କାହିଁକି ? ପ୍ରଥମେ ପଂଚାୟତ ୱାରି କାଳିଆ ହିତାଧିକାରୀ ଏବଂ ଭୂମିହୀନ ଚାଷୀଙ୍କ ତାଲିକାକୁ ରାଜ୍ୟ ସରକାର ସାର୍ବଜନୀନ କରନ୍ତୁ। କାଳିଆ ଯୋଜନାର ହିତାଧିକାରୀଙ୍କ ତାଲିକା ପ୍ରତି ପଂଚାୟତରେ ମାରିବା ପାଇଁ ବିଜେପି ପକ୍ଷରୁ ବାରମ୍ବାର ଦାବି ପରେ ବି ରାଜ୍ୟ ସରକାର ହିତାଧିକାରୀଙ୍କ ତାଲିକା ପ୍ରକାଶ କରୁନାହାଁନ୍ତି।

