Site icon Ethara Sambhala

ଜିଲ୍ଲାସ୍ତରରେ ପ୍ରତିଷ୍ଠା ହେବ ଡିଆଇପିଏ, ଅଗଷ୍ଟରୁ ପାଇଲଟ୍ ପ୍ରୋଜେକ୍ଟ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଗ୍ରାମାଂଚଳରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଅର୍ଥନୀତିକ ଗତିବିଧିକୁ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପ ଓ ପୁଞ୍ଜିନିବେଶ ପ୍ରମୋସନ ଏଜେନ୍ସୀ(ଡିଆଇପିଏ) ସ୍ଥାପନ କରିବେ। ପାଇଲଟ୍ ପ୍ରୋଜେକ୍ଟ ଭାବେ ଆସନ୍ତା ଅଗଷ୍ଟ ମାସରେ ଗଞ୍ଜାମ, ସୁନ୍ଦରଗଡ଼ ଓ ଜଗତସିଂହପୁର ଜିଲ୍ଲାରେ ଆରମ୍ଭ ହେବ । ଆଜି ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା ଜିଲ୍ଲାସ୍ତରରେ ଇପିକଲ ଦ୍ୱାରା ପ୍ରଦାନ କରାଯିବାକୁ ଥିବା ଏହି ସେବା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଜିଲ୍ଲାପାଳମାନଙ୍କ ପ୍ରତ୍ୟକ୍ଷ ତଦାରଖରେ ଡିଆଇପିଏ କାର୍ଯ୍ୟ କରିବ। ୩ଜଣ ପ୍ରଫେସନାଲଙ୍କ ଦ୍ୱାରା ଏହା ପରିଚାଳିତ ହେବ । ୩ଟି ଜିଲ୍ଲାରେ ଅଗଷ୍ଟରୁ ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପ ଆରମ୍ଭ ହେବ। ପରବର୍ତ୍ତୀ ସମୟରେ ଏହା ଅନୁଗୁଳ, ବାଲେଶ୍ୱର, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, ରାୟଗଡ଼ା, ସମ୍ବଲପୁର ଓ ଅନ୍ୟାନ୍ୟ ଜିଲ୍ଲାକୁ ୨୦୨୨ ମାର୍ଚ୍ଚ ମାସ ସୁଦ୍ଧା ସମ୍ପ୍ରସାରିତ ହେବ। ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟରେ ଏହି ଡିଆଇପିଏ ଖୋଲିବା ପାଇଁ ଜାଗା ଯୋଗାଇ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏମଏସଏମଇ ଉଦ୍ୟୋଗୀମାନଙ୍କୁ ଏହି ଏଜେନ୍ସୀ ମାଧ୍ୟମରେ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Exit mobile version