ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଆସନ୍ତାବର୍ଷ ଆରମ୍ଭରୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ବିଜେପି ତା’ର ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛି। ଏଥିପାଇଁ ଆଜି ଦଳର ମୁଖ୍ୟାଳୟରେ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠରେ ସ୍ୱରାଷ୍ଟ୍ର ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଯୋଗ ଦେଇଥିଲେ। ଏମାନଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନିର୍ମଳା ସୀତାରମଣ, କରିଣ ରିଜ୍ଜିଜୁ, ନରେନ୍ଦ୍ର ସିଂହ ତୋମାର, ପୀୟୂଷ ଗୋୟେଲ ଓ ସ୍ମୃତି ଇରାନୀଙ୍କ ସହ ଉପ ସଭାପତି ବୈଜୟନ୍ତ ପଣ୍ଡା ଓ ବରିଷ୍ଠ ନେତାମାନେ ବୈଠକରେ ସାମିଲ ହୋଇଥିଲେ। ଆଗାମୀ ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ହିଁ ଏହି ବୈଠକର ମୁଖ୍ୟ ଏଜେଣ୍ଡା ରହିଥିଲା ବୋଲି ଜଣେ ନେତା କହିଛନ୍ତି। ସୂଚନାଯୋଗ୍ୟ, ଆସନ୍ତାବର୍ଷ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ବିଧାନସଭା ନିର୍ବାଚନ ହେବ। ଏହି ୫ ରାଜ୍ୟ ମଧ୍ୟରୁ କେବଳ ପଞ୍ଜାବକୁ ଛାଡ଼ି ବିଜେପି ସବୁ ସ୍ଥାନରେ କ୍ଷମତାରେ ରହିଛି। ତେଣୁ କ୍ଷମତା ବଜାୟୀ ରଖିବା ପାଇଁ କ’ଣ ସବୁ କରିବାକୁ ହେବ, ତା’ ଉପରେ ବରିଷ୍ଠ ନେତାମାନେ ଆଲୋଚନା କରିଛନ୍ତି। ବିଶେଷ କରି ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ବିରୋଧରେ ସୃଷ୍ଟି ହୋଇଥିବା ଜନ ଅସନ୍ତୋଷକୁ ପ୍ରଶମିତ କରି କେମିତି ଭୋଟ ବ୍ୟାଙ୍କ ତିଆରି କରାଯିବ, ସେ ବିଷୟରେ ମାନସମନ୍ଥନ କରାଯାଇଛି।

