ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ବେଙ୍ଗଲ ସହ ଜଡ଼ିତ ମାମଲାର ଶୁଣାଣିରୁ ସୁପ୍ରିମକୋର୍ଟର ଆଉ ଜଣେ ବିଚାରପତି ଓହରି ଯାଇଛନ୍ତି। ନାରଦା ଲାଞ୍ଚ କାରବାର ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରିଥିବା ଆବେଦନର ଶୁଣାଣି କରିବାକୁ ନିଜ ଆଡ଼ୁ ମନା କରିଛନ୍ତି ଜଣେ ବିଚାରପତି।ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବାର ଥିଲେ। ହେଲେ ଜଷ୍ଟିସ ଅନିରୁଦ୍ଧ କୋଲକାତାର ହୋଇଥିବାରୁ ସେ ଏହାର ଶୁଣାଣିରୁ ଓହରି ଯାଇଛନ୍ତି। ସେ କହିଛନ୍ତି, “ମୁଁ ଏହି ଆବେଦନର ଶୁଣାଣି କରିବାକୁ ଚାହୁଁନାହିଁ।” ଏହାପରେ ଖଣ୍ଡପୀଠରେ ଥିବା ଆଉ ଜଣେ ବିଚାରପତି ଜଷ୍ଟିସ ହେମନ୍ତ ଗୁପ୍ତା ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରାଙ୍କୁ ଅନ୍ୟ ଏକ ବେଞ୍ଚରେ ଏହାର ଶୁଣାଣି ପାଇଁ ଲିଷ୍ଟିଂ କରିବାକୁ କହିଛନ୍ତି। ନାରଦା କେସ୍ରେ କ୍ୟାଲକାଟା ହାଇକୋର୍ଟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟ ଆଇନମନ୍ତ୍ରୀ ମଳୟ ଘାଟକଙ୍କ ଅନ ରେକର୍ଡ ସତ୍ୟପାଠ ଗ୍ରହଣ କରିବାକୁ ମନା କରିଥିଲେ। ଏହା ବିରୋଧରେ ସେମାନେ ସୁପ୍ରିମକୋର୍ଟ ଯାଇଛନ୍ତି। ସିବିଆଇ ନାରଦା କେସ୍କୁ ରାଜ୍ୟ ବାହାରକୁ ନେବାକୁ ଚାହୁଁଥିବାରୁ ଏହା ଉପରେ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଜବାବ ଦାଖଲ କରିବାକୁ ଚାହୁଁଛନ୍ତି। ଏବେ ସୁପ୍ରିମକୋର୍ଟରେ ଏହାର ଶୁଣାଣି ହେବ। ସୂଚନାଯୋଗ୍ୟ, ବେଙ୍ଗଲରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ହୋଇଥିବା ଆବେଦର ଶୁଣାଣିରୁ ମଧ୍ୟ କିଛି ଦିନ ତଳେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଇନ୍ଦିରା ବାନାର୍ଜୀ ନିଜ ଆଡ଼ୁ ଓହରି ଯାଇଥିଲେ।
ବେଙ୍ଗଲ ମାମଲାର ଶୁଣାଣିରୁ ଓହରିଲେ ଆଉ ଜଣେ ବିଚାରପତି…!

