Site icon Ethara Sambhala

କଂଗ୍ରେସ ନେତା ଶଶି ଥରୁରଙ୍କୁ ରାମ ମନ୍ଦିର ଚିନ୍ତା !

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶି ଥରୁରଙ୍କୁ ରାମମନ୍ଦିର ଚିନ୍ତା। ଆଜ୍ଞା ହଁ, ସବୁ ସମୟରେ ବିଦେଶୀ ଅନ୍ଦାଜ୍‌ରେ ବଞ୍ଚୁଥିବା ଏବଂ ସହଜରେ ବୋଧଗମ୍ୟ ହେଉନଥିବା ଇଂରାଜୀ ଶବ୍ଦ ବ୍ୟବହାର ପାଇଁ ପ୍ରସିଦ୍ଧ କଂଗ୍ରେସ ନେତା ଶଶି ଥରୁରଙ୍କ ରାମ ମନ୍ଦିର ପ୍ରେମକୁ ନେଇ ଏବେ ଚାଲିଛି ଚର୍ଚ୍ଚା। ସେ ବିଜେପି ଆଡ଼କୁ ଢଳିବେ ବୋଲି ଆପଣ ଭାବୁଥାଇପାରନ୍ତି। କିନ୍ତୁ ଘଟଣା ଟିକେ ନିଆରା। ବର୍ତ୍ତମାନ ସୋଶାଲ ମିଡିଆରେ ଟ୍ରେଣ୍ଡ ଚାଲିଛି #TenYearChallenge କୁ ନେଇ। ଆଉ ଏହାର ସୁଯୋଗ ନେଇ ବିଜେପିକୁ ସମାଲୋଚନା କରିବାର ପ୍ରୟାସ କରିଛନ୍ତି ଶଶି ଥରୁର। ୧୦ ବର୍ଷର ପରିବର୍ତ୍ତନକୁ ଆଧାର କରି ସେ ପ୍ରସ୍ତାବିତ ରାମ ମନ୍ଦିରର ସ୍ଥିତି କିପରି ୧୦ ବର୍ଷ ପରେ ମଧ୍ୟ ଯେମିତିକୁ ସେମିତି ଅଛି, ତାହା ଦର୍ଶାଇଛନ୍ତି।

୨୦୦୯ରୁ ୨୦୧୯ ମସିହା ମଧ୍ୟରେ ରାମ ମନ୍ଦିର ଯୋଜନାରେ ପଥରଟିଏ ମଧ୍ୟ ଘୁଞ୍ଚିନି ଏବଂ ସ୍ଥିତି ଆଜି ମଧ୍ୟ ଠିକ୍‌ ସେମିତି ଥିବାବେଳେ ବିଜେପି ମୁଖ୍ୟାଳୟର ଭୂଗୋଳରେ ଆକାଶ ପାତାଳ ପରିବର୍ତ୍ତନ ହୋଇଯାଇଥିବା ନିଜ ଟ୍ୱିଟ୍‌ରେ ସେ ଦର୍ଶାଇଛନ୍ତି।

ବିଜେପି ମଧ୍ୟ ଏହି ଟ୍ରେଣ୍ଡକୁ ଆଗେଇ ନେଇ #5YearChallenge ପୋଷ୍ଟ ଚାଲୁ ରଖିଛି। ଏଥିରେ ଦଳ ନିଜର ସଫଳତା ବଖାଣୁଛି।

Exit mobile version