Site icon Ethara Sambhala

କୋଭିଡ ଫ୍ରଣ୍ଟଲାଇନ ଯୋଦ୍ଧାଙ୍କ ପାଇଁ କ୍ରାସ କୋର୍ସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍‌ ୧୮ ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ କୋଭିଡ-୧୯ ଫ୍ରଣ୍ଟଲାଇନ୍ ଯୋଦ୍ଧାଙ୍କ ପାଇଁ ଏକ କ୍ରାସ କୋର୍ସର ଶୁଭାରମ୍ଭ କରିବେ। ୨୬ଟି ରାଜ୍ୟରେ ଥିବା ୧୧୧ଟି ପ୍ରଶିକ୍ଷଣ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଆୟୋଜନ କରାଯିବ। କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବେ। ଏହି ଅବସରରେ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଅଂଶଗ୍ରହଣ କରିବେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବର୍ତ୍ତମାନ ଓ ଭବିଷ୍ୟତର ମାନବ ସମ୍ବଳ ଆବଶ୍ୟକତା ପୂରଣ କରିବା ଲାଗି ଏହି କାର୍ଯ୍ୟକ୍ରମ ଦକ୍ଷ ଅଣଚିକିତ୍ସା ସ୍ୱାସ୍ଥ୍ୟସେବା କର୍ମୀମାନଙ୍କୁ ସୃଷ୍ଟି କରିବ ବୋଲି ସରକାର ଆଶା ରଖିଛନ୍ତି। ଏହି କାର୍ଯ୍ୟକ୍ରମ ଏକ ଲକ୍ଷରୁ ଅଧିକ କୋଭିଡ ଯୋଦ୍ଧାମାନଙ୍କୁ କୌଶଳ ଓ ଅତିରିକ୍ତ କୌଶଳ ପ୍ରଶିକ୍ଷଣ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରଶିକ୍ଷଣରେ କୋଭିଡ ଯୋଦ୍ଧାମାନଙ୍କୁ ୬ଟି ଭିନ୍ନ ଭିନ୍ନ ଅନୁକୂଳ ଭୂମିକାରେ ପ୍ରଶିକ୍ଷଣ ଦିଆଯିବ । ସେଗୁଡ଼ିକ ହେଲା ଗୃହ ଚିକିତ୍ସା ସହାୟତା, ମୌଳିକ ଚିକିତ୍ସା ସହାୟତା, ଅତ୍ୟାଧୁନିକ ଚିକିତ୍ସା ସହାୟତା, ଜରୁରିକାଳୀନ ଚିକିତ୍ସା ସହାୟତା, ନମୁନା ସଂଗ୍ରହ ସହାୟତା ଏବଂ ଚିକିତ୍ସା ଉପକରଣ ସହାୟତା।ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ୩.୦ର କେନ୍ଦ୍ରୀୟ ଉପାଦାନ ଅନ୍ତର୍ଗତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଭାବେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ମୋଟ ୨୭୬ କୋଟି ଟଙ୍କା ବ୍ୟୟ କରାଯିବ।

Exit mobile version