Site icon Ethara Sambhala

ଜଜ୍‌ଙ୍କ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଲେ ଅଭିଜିତ…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ସୋନି ଟିଭିରେ ପ୍ରସାରିତ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ’ ଲଗାତାର ଚର୍ଚ୍ଚାରେ ରହି ଆସୁଛି। କିଛି ଦିନ ପୂର୍ବେ ଶୋ’କୁ ଜଜ୍ ହୋଇଆସିଥିବା ସ୍ୱର୍ଗତ କିଶୋର କୁମାରଙ୍କ ପୁଅ ଅମିତ କୁମାରଙ୍କ ବୟାନ ପରେ ଏହି ଶୋ’ ବିବାଦରେ ଛନ୍ଦି ହୋଇପଡ଼ିଥିବା ବେଳେ ଏବେ ବଲିଉଡ୍‌ର ଆଉ ଜଣେ ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ବୟାନ ଏହାକୁ ନୂଆ ବିବାଦ ମଧ୍ୟକୁ ଠେଲି ଦେଇଛି। ନିକଟରେ ଏହି ଶୋ’କୁ ଅତିଥି ହୋଇ ଆସିଥିବା ଅଭିଜିତ ସିଧାସଳଖ ଏହାର ଜଜ୍‌ଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି। ବିଶେଷ କରି ସେ ନେହା କକ୍କରଙ୍କୁ ଟାର୍ଗେଟ୍ କରିଥିବା କୁହାଯାଉଛି। ଏନେଇ ଏକ ସାକ୍ଷାତକାରରେ ଅଭିଜିତ କହିଛନ୍ତି, ମୁଁ ଏଭଳି କୌଣସି ଶୋ’ରେ କାମ ମାଗୁନାହିଁ । କିନ୍ତୁ ଆମ ପରି ଗାୟକ ଏଭଳି ଶୋ’ ଗୁଡ଼ିକରେ ଜଜ୍ ସିଟ୍‌ରେ ବସିବାକୁ ହକଦାର। ଯେଉଁମାନେ ନିଜ କ୍ୟାରିୟରରେ ସମୁଦାୟ ୪ଟି ଗୀତ ଵି ଗାଇ ନାହାନ୍ତି, ସେମାନେ ଏବେ ଜଜ୍‌ ହେଉଛନ୍ତି। ଏପରି ଲୋକଙ୍କୁ ମୁଁ କାମ ଦେଇଥିଲି। ଦିନେ ମୋ ପାଖରେ ଏମାନେ କାମ କରୁଥିଲେ। ସେ ଆହୁରି କହିଛନ୍ତି, ଏପରି ଲୋକ କିଛି ହିଟ୍‌ ଗୀତ ଦେଇଛନ୍ତି, ହେଲେ ସଂଗୀତର ସାଧନା କରି ଶିଖି ନାହାନ୍ତି। ସେମାନେ କେବଳ ନିଜ ପ୍ରଚାର କରି ଶିଖିଛନ୍ତି। ଆଜି ଆର ଡି ବର୍ମନ ବଞ୍ଚିଥିଲେ ବି ଏଭଳି ରିଆଲିଟି ଶୋ’ର ନିର୍ମାତାମାନେ ତାଙ୍କୁ ପଚାରି ନଥା’ନ୍ତେ। ମୋତେ ନଜର ଅନ୍ଦାଜ କରି ସେମାନେ କେତେ ବୋକା ତାହାର ପ୍ରମାଣ ଦେଇଛନ୍ତି। ଏହା ପୂର୍ବରୁ ଏହି ଶୋ’ରେ ପସନ୍ଦ ନ ଆସିଲେ ବି ପ୍ରତିଯୋଗୀମାନଙ୍କୁ ପ୍ରଶଂସା କରିବାକୁ ଆଗତୁରା ଅତିଥିମାନଙ୍କୁ କୁହାଯାଇଥାଏ ବୋଲି ଗାୟକ ଅମିତ କୁମାର କହିଥିଲେ। ଏହା ପରେ ଶୋ’ଟି ବେଶ୍ ବିବାଦ ମଧ୍ୟରେ ରହିଥିଲା। ଅନ୍ୟପକ୍ଷରେ ଏପରି ବିବାଦ ଯୋଗୁ ‘ଇଣ୍ଡିଆନ୍ ଆଇଡଲ୍’ ଏବେ ଟିଆରପି ଲିଷ୍ଟରୁ ଆଉଟ୍ ହୋଇଛି। ବାର୍କ ଇଣ୍ଡିଆ ପକ୍ଷରୁ ୨୨ତମ ସପ୍ତାହର ଟିଆରପି ରେଟିଂ ତାଲିକା ଜାରି ହୋଇଛି। ଗତ କିଛି ସପ୍ତାହ ଧରି ଇଣ୍ଡିଆନ୍ ଆଇଡଲ୍-୧୨ ଟିଆରପି ଲିଷ୍ଟରେ ସ୍ଥାନ ହାସଲ କରିଥିଲା, କିନ୍ତୁ ଚଳିତ ସପ୍ତାହରେ ତାଲିକାରୁ ବାଦ୍ ପଡ଼ିଛି।

Exit mobile version