Site icon Ethara Sambhala

‘ବୋଧେ ସଚିନ ତେନ୍ଦୁଲକର ହୋଇଥିବେ’: ବିଜେପି ନେତାଙ୍କୁ ଓଲଟା ବାଣ ମାରିଲେ ସଚିନ ପାଇଲଟ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଜିତିନ ପ୍ରସାଦ କଂଗ୍ରେସ ଛାଡ଼ି ବିଜେପିରେ ମିଶିବା ପରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସଚିନ ପାଇଲଟ। ସେ ମଧ୍ୟ ଜିତିନ ପ୍ରସାଦଙ୍କ ଭଳି କଂଗ୍ରେସ ଛାଡ଼ି ବିଜେପିକୁ ଚାଲିଯିବେ ବୋଲି କୁହାଯାଉଛି। ଏସବୁ ଭିତରେ ଜଣେ ବିଜେପି ନେତା ସଚିନ ପାଇଲଟଙ୍କୁ ନେଇ ବଡ଼ ବୟାନ ଦେଇଥିଲେ। ସେ ସଚିନଙ୍କ ସହ କଥା ହୋଇଛନ୍ତି ଓ ସଚିନ ଖୁବଶୀଘ୍ର ବିଜେପିରେ ମିଶିବେ ବୋଲି ବିଜେପି ନେତା ଜଣଙ୍କ ଦାବି କରିଥିଲେ। ଆଜି ସଚିନ ପାଇଲଟ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ନାଁକୁ ବ୍ୟବହାରକରି ଉକ୍ତ ବିଜେପି ନେତାଙ୍କୁ ଓଲଟା ବାଣ ମାରିଛନ୍ତି। କଂଗ୍ରେସ ସହ ୨୫ ବର୍ଷ କାମ କରିବା ପରେ ବିଜେପିରେ ମିଶିଥିବା ରିତା ବହୁଗୁଣା ଯୋଶୀ କହିଥିଲେ ଯେ “ମୁଁ ସଚିନଙ୍କ ସହ କଥା ହୋଇଛି। ସେ କଂଗ୍ରେସରେ ଆଦୌ ଠିକ ନାହାନ୍ତି। କଂଗ୍ରେସରେ ରହି ସେ ଅସହଜ ଅନୁଭବ କରୁଛନ୍ତି। ତେଣୁ ସଚିନ ଖୁବଶୀଘ୍ର ବିଜେପିରେ ମିଶିବେ ବୋଲି ମୋତେ କହିଛନ୍ତ।” ଏହାର ଜବାବ ଆଜି ସଚିନ ପାଇଲଟ ଦେଇଛନ୍ତି। ସେ କହିଛନ୍ତି, “ରିତା ବହୁଗୁଣା ଯୋଶୀ କହିଛନ୍ତି ଯେ ସେ ସଚିନଙ୍କ ସହ କଥା ହୋଇଛନ୍ତି। ବୋଧେ ସେ ସଚିନ ତେନ୍ଦୁଲକରଙ୍କ ସହ କଥା ହୋଇଥିବେ। ମୋ ସହ କଥା ହେବାର ସାହାସ ତାଙ୍କର ନାହିଁ।” ଏପରି ବୟାନ ଦେଇ ସଚିନ ପାଇଲଟ ସେ କଂଗ୍ରେସ ଛାଡ଼ିବା ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। କିନ୍ତୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ତାଙ୍କର ବିବାଦ ପୂର୍ବଭଳି ଜାରି ରହିଛି। ୧୦ ମାସ ତଳେ ସଚିନ ଓ ତାଙ୍କ ସମର୍ଥକ ବିଧାୟକମାନେ ରାଜସ୍ଥାନ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ତେବେ ଗାନ୍ଧି ପରିବାରର ହସ୍ତକ୍ଷେପ ପରେ ସଚିନ ଦଳ ଛାଡ଼ି ନଥିଲେ। ଏଥିସହ ସେ ଉଠାଇଥିବା ଅଭିଯୋଗକୁ ସମାଧାନ କରାଯିବ ବୋଲି କଂଗ୍ରେସ ନେତୃବୃନ୍ଦ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏହି ପ୍ରତିଶ୍ରୁତିକୁ ୧୦ ମାସ ବିତି ଯାଇଥିଲେ ହେଁ କୌଣସି ପ୍ରକାରର ବ୍ୟବସ୍ଥା କରାଯାଇ ନଥିବାରୁ ସଚିନ ସୋମବାର ଖୋଲାଖୋଲି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ସେହିପରି ସେ ନିଜର ସମର୍ଥକ ବିଧାୟକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ମଧ୍ୟ ଜଣାପଡ଼ିଛି। ଏହି କାରଣରୁ ସେ ମଧ୍ୟ ଜିତିନ ପ୍ରସାଦ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ଦଳ ଛାଡ଼ିବାର ଆଶଙ୍କା ଥିବା କୁହାଯାଉଛି।

Exit mobile version