Site icon Ethara Sambhala

୬୦ରୁ ଅଧିକ ସ୍ପିଡରେ ଚାଲିପାରିବନି ବାଇକ, କାର୍‌ ସ୍ପିଡ ସର୍ବାଧିକ ୭୦ କିମି..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ସଡ଼କ ଦୁର୍ଘଟଣା ଓ ବେପରୁଆ ଗାଡ଼ି ଚାଳନା ଉପରେ ରୋକ ଲଗାଇବାକୁ ସର୍ବାଧିକ ସ୍ପିଡ ନିୟମରେ କଟକଣା ଲଗାଇଛି ଦିଲ୍ଲୀ ଟ୍ରାଫିକ ପୁଲିସ୍। ପୁଲିସ୍‌ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଦିଲ୍ଲୀର ରାସ୍ତାରେ ଗଡ଼ୁଥିବା ସମସ୍ତ ଯାତ୍ରୀବାହୀ କାର୍‌ର ସର୍ବାଧିକ ସ୍ପିଡ ୭୦ କିମି ରହିବ। ଦୁଇ ଚକିଆ ଗାଡ଼ି ବା ବାଇକ ଗୁଡ଼ିକ ୬୦ କିମିରୁ ଅଧିକ ବେଗରେ ଚାଲିପାରିବ ନାହିଁ। ସମସ୍ତ ସାଧାରଣ ଓ ଦ୍ରବ୍ୟ ପରିବହନ ଗାଡ଼ିଗୁଡ଼ିକ ସର୍ବାଧିକ ସ୍ପିଡକୁ ୪୦ରେ ସୀମିତ ରଖାଯାଇଛି। ଏହି ସ୍ପିଡ ବିଭିନ୍ନ ରାସ୍ତାରେ କମ ମଧ୍ୟ ହୋଇପାରିବ। ପୁଲିସ୍‌ କହିଛି ଯେ ଦିଲ୍ଲୀର ରାଜରାସ୍ତାରେ ଗଡ଼ୁଥିବା ଗାଡ଼ିଗୁଡ଼ିକର ସ୍ପିଡକୁ ନିୟନ୍ତ୍ରଣ କରିବା ବର୍ତ୍ତମାନ ସମୟରେ ଜରୁରୀ ହୋଇପଡ଼ିଛି। ଗାଡ଼ି ଚାଳକ ଓ ରାସ୍ତାରେ ଯାଉଥିବା ଅନ୍ୟ ଲୋକଙ୍କ ସୁରକ୍ଷା ପାଇଁ ଏପରି ବ୍ୟବସ୍ଥା କରାଯାଇଛି। ଯଦି କେହି ଧାର୍ଯ୍ୟ ସ୍ପିଡର ନିୟମକୁ ଉଲ୍ଲଙ୍ଘନ କରିବେ, ତା’ହେଲେ ବିପୁଳ ପରିମାଣର ଫାଇନ ଦେବାକୁ ପଡ଼ିବ। ସମସ୍ତ ଅଟୋ, ବସ୍‌ ଓ ଟ୍ରକ୍‌ ସବୁ ସ୍ଥାନରେ ସର୍ବାଧିକ ୪୦ କିମି ବେଗରେ ଯିବା ଆସିବା କରିପାରିବେ। କିନ୍ତୁ ଛୋଟ ରାସ୍ତା ଓ ଆବାସିକ ଅଞ୍ଚଳରେ ଅତିକ୍ରମ କରିବା ବେଳେ ସବୁ ଗାଡ଼ିର ସ୍ପିଡ ୩୦ କିମିକୁ ହ୍ରାସ ପାଇବ।

Exit mobile version