Site icon Ethara Sambhala

ବିଜେପି ରାଜନୀତି ସରଗରମ: ମୋଦିଙ୍କ ସହ ଘଣ୍ଟାଏ ଆଲୋଚନା କଲେ ଯୋଗୀ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଦଳୀୟ ନେତୃତ୍ୱ ପରିବର୍ତ୍ତନକୁ ନେଇ ଚାଲିଥିବା ଛକାପଞ୍ଝା ତୀବ୍ର ହେବାରେ ଲାଗିଛି। ଗୁରୁବାର ଠାରୁ ଦିଲ୍ଲୀରେ ଡେରା ପକାଇ ବସିଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି। ଗତକାଲି ସେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ମଧ୍ୟ ବୈଠକ କରିଥିଲେ। ଆଜି ମଧ୍ୟାହ୍ନରେ ଯୋଗୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ପହଞ୍ଚଥିଲେ। ଏହାପରେ ଉଭୟ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଏହାପରେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ଯୋଗୀ ସରକାର ରାଜ୍ୟରେ କରୋନାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ ଦଳର ଛବି ମଳିନ ପଡ଼ିଛି। ସେହିପରି କଂଗ୍ରେସରୁ ଆସି ଜିତିନ ପ୍ରସାଦ ମଧ୍ୟ ବିଜେପି ମିଶିଛନ୍ତି। ଯୋଗୀଙ୍କ ନେତୃତ୍ୱକୁ ଦଳ ଭିତରୁ ବିରୋଧ କରାଯାଉଛି। ଏସବୁ ବାବଦରେ ମୋଦି ବିସ୍ତୃତ ଭାବେ ଯୋଗୀଙ୍କ ସହ ଆଲୋଚନା କରିଛନ୍ତି। ଆସନ୍ତାବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପିରେ ବଡ଼ଧରରଣ ପରିବର୍ତ୍ତନ ଘଟିବ ବୋଲି ସମ୍ଭାବନା ରହିଛି। ମୋଦିଙ୍କ ସହ ବୈଠକ ପରେ ଯୋଗୀ ଟ୍ୱିଟ କରିଛନ୍ତି। ସେ ମୋଦିଙ୍କ ସହ ଆଲୋଚନା କରିବା ବେଳର ଫଟୋ ଏଥିରେ ରହିଛି। ସେ ଲେଖିଛନ୍ତି, “ ଆଜି ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ନୂଆଦିଲ୍ଲୀରେ ଭେଟିବାର ସୌଭାଗ୍ୟ ପ୍ରାପ୍ତ କରିଛି। ତାଙ୍କ ମାର୍ଗଦର୍ଶନ ମଧ୍ୟ ପ୍ରାପ୍ତ  ହୋଇଛି। ସେ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ମୋ ପାଇଁ ସମୟ ବାହାର କରି ଆଲୋଚନା କରିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି।”  ମୋଦିଙ୍କ ବାସଭବନରୁ ବାହାରିବା ପରେ ଯୋଗୀ ସିଧା ଜେପି ନଡ୍ଡାଙ୍କ ଘରେ ପହଞ୍ଚିଥିଲେ। ତାଙ୍କ ସହ ଯୋଗୀ ଦୀର୍ଘ ଦେଢ଼ ଘଣ୍ଟା ଆଲୋଚନା କରିଥିଲେ। ଜେପି ନଡ୍ଡା ଟ୍ୱିଟ କରି କହିଛନ୍ତି, “ଉତ୍ତର ପ୍ରଦେଶର ସଫଳ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲି।”

Exit mobile version