Site icon Ethara Sambhala

ଟୋକିଓ ଅଲିମ୍ପିକ୍ସ ରେସ୍‌ରୁ ସାଇନା ଓ ଶ୍ରୀକାନ୍ତ ଆଉଟ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଜବରଦସ୍ତ ଝଟକା ଲାଗିଛି। ଭାରତର ଦୁଇ ଷ୍ଟାର ଶଟଲର କାଦମ୍ବୀ ଶ୍ରୀକାନ୍ତ ଓ ସାଇନା ନେହ୍ୱାଲ ଅଲିମ୍ପିକ୍ସ ରେସ୍‌ରୁ ବାଦ୍‌ ପଡ଼ିଛନ୍ତି। ଜୁନ୍‌ ୧୫ରେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପର୍ଯ୍ୟାୟ ବନ୍ଦ ହେବ। ଏହାପୂର୍ବରୁ ଆଉ କୌଣସି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ ନାହିଁ ବୋଲି ବ୍ୟାଡମିଟନ ୱାର୍ଲ୍ଡ ଫେଡରେସନ ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବରୁ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟରେ ଶ୍ରୀକାନ୍ତ ଓ ସାଇନା ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିପାରି ନଥିଲେ। ଏବେ ଆଉ କୌଣସି ଇଭେଣ୍ଟ ନଥିବାରୁ ସେମାନେ ଅଲିମ୍ପିକ୍ସ ରେସ୍‌ରୁ ବାଦ ପଡ଼ିଥିବା ସ୍ପଷ୍ଟ ହୋଇଯାଇଛି। ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡରେସନ ପକ୍ଷରୁ ଖୁବଶୀଘ୍ର ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ଖେଳାଳିଙ୍କ ନାଁ ଘୋଷଣା କରାଯିବ। ରୋଡ ଟୁ ଟୋକିଓ ରାଙ୍କିଙ୍ଗରେ ସାଇନା ୨୨ନଂ ସ୍ଥାନରେ ଅଛନ୍ତି। ନିୟମ ଅନୁସାରେ ଟପ୍‌ ୧୬ ମଧ୍ୟରେ ଥିବା ଖେଳାଳିମାନେ ହିଁ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ହାସଲ କରିପାରିବେ। ସେହିପରି ଶ୍ରୀକାନ୍ତ ପୁରୁଷ ଏକକ ବର୍ଗରେ ୨୦ନଂ ସ୍ଥାନରେ ରହିଛନ୍ତି। ଏହାର ଅର୍ଥ ଏବେ ମହିଳା ଏକକ ବର୍ଗରେ କେବଳ ପିଭି ସିନ୍ଧୁ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ପୁରୁଷ ବର୍ଗରେ ସାଇ ପ୍ରଣୀତ ରହିଛନ୍ତି। ପୁରୁଷ ଡବଲ୍ସରେ ଭାରତର ସାତ୍ୱିକ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ପ୍ରଥମଥର ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ମୋଟ ଉପରେ ଭାରତ ପକ୍ଷରୁ ଏଥର ଟୋକିଓ ଅଲିମ୍ପିକ୍ସରେ ୪ ଜଣ ଶଟଲର ହିଁ ଭାଗ ନେବେ।

Exit mobile version