Site icon Ethara Sambhala

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଓଡ଼ିଶାର ବାତ୍ୟା ଅଞ୍ଚଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି। ପରେ ସମୀକ୍ଷା କରି ଓଡ଼ିଶାକୁ ତତ‌୍‍କାଳୀନ ୫୦୦ କୋଟିର ସହାୟତା ଯୋଗାଇ ଦେବା ପାଇଁ ଘୋଷଣା  କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ସହାୟତା ରାଶି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି-“ପ୍ରଧାନମନ୍ତ୍ରୀ ମୋଦି ବିପଦ ସମୟରେ ସବୁବେଳେ ଓଡ଼ିଶାର ଲୋକଙ୍କ ସାଥୀରେ ଦୃଢ଼ତାର ସହ ଠିଆ ହୋଇଛନ୍ତି। କେନ୍ଦ୍ର ସରକାର ଓଡ଼ିଶାରେ ବାତ୍ୟା ‘ୟାସ୍‌’ର ପ୍ରଭାବକୁ ହ୍ରାସ୍‌ କରିବା ପାଇଁ ସବୁପ୍ରକାର ସାହାଯ୍ୟ କରିବେ। ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରାଯିବ। ବିପର୍ଯ୍ୟୟ ମୁକାବିଲା ପାଇଁ ଓଡ଼ିଶାକୁ ନିର୍ମାଣ କରାଯିବା ଦିଗରେ ଆମ ସରକାର ମିଳିତ ଭାବରେ କାର୍ଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଆଶ୍ୱାସନା ଦେଇଛନ୍ତି।” ସେ ଆହୁରି କହିଛନ୍ତି-“ବାତ୍ୟା ‘ୟାସ୍‌’ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଓ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ପ୍ରଭାବିତ ରାଜ୍ୟ ଗୁଡ଼ିକ ପାଇଁ ବାତ୍ୟାର କ୍ଷୟକ୍ଷତି ଆକଳନ ନିମନ୍ତେ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଗଠନ ହୋଇଛି। ମୁଁ ଦୃଢ଼ ନିଶ୍ଚିତ ଯେ ବିସ୍ତୁତ କ୍ଷୟକ୍ଷତିର ତଥ୍ୟ ଆସିବା ପରେ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରକୁ ଭାରତ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ। ଓଡ଼ିଶାକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା କରିବା ପାଇଁ ସରକାରଙ୍କ ମିଳିତ ଉଦ୍ୟମରେ ଯୋଜନା କରାଯିବ।” ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ବାତ୍ୟା ‘ୟାସ’ର ପ୍ରଭାବ ଅଞ୍ଚଳରେ ରିଲିଫ୍‌, ପୁନରୁଦ୍ଧାର ଓ ଜୀବନଜୀବିକାର ପୁନଃସ୍ଥାପନ କରିବା ପାଇଁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ପ୍ରଥମେ ସମୀକ୍ଷା କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ଭଦ୍ରକ ଓ ବାଲେଶ୍ୱର ପରିଦର୍ଶନ କରିବା ସହ ସ୍ଥିତି ପରଖିଥିଲେ।

Exit mobile version